ଚଳିତ ଶୀତ ଅଧିବେଶନରେ ବିଧାନସଭାରେ ଆସିପାରେ ଆପାର୍ଟମେଣ୍ଟ ଓନରସିପ ବିଲ

କେନ୍ୟୁଜ୍(ବ୍ୟୁରୋ):ଓଡିଶା ହାଇକୋର୍ଟରେ ଆଜି ରେରା ମାମଲାର ଶୁଣାଣି ହୋଇଥିବା ବେଳେ ରାଜ୍ୟରେ ଆପାର୍ଟମେଣ୍ଟ  ବିକ୍ରି ଖର୍ଦ୍ଦି ନେଇ ଅଚଳାବସ୍ଥା ଜାରି ରହିଛି। ଚଳିତ ଶୀତ ଅଧିବେଶନରେ ବିଧାନସଭାରେ ଆପାର୍ଟମେଣ୍ଟ ଓନରସିପ ବିଲ ଆସିବାର ରହିଛି। ଏହି ବିଲ ପାରିତ ହେବା ପରେ ଆପାର୍ଟମେଣ୍ଟ ଓନରସ ଆସୋସିଏସନ ଗଠିତ ହୋଇ ପାରିବ। ଏହା ପରେ ଆପାର୍ଟମେଣ୍ଟ ବିକ୍ରି ଖର୍ଦ୍ଦି ସ୍ୱାଭାବିକ ହୋଇପାରିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏ ନେଇ ହାଇକୋର୍ଟଙ୍କୁ ଅବଗତ କରାଯାଇଛି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଅନ୍ୟ ପଟରେ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ଏ ସଂକ୍ରାନ୍ତୀୟ ସମସ୍ତ ନିର୍ଦ୍ଦେଶ କାଏମ ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ରୁଜ୍ଜୁ ମାମଲାର ଶୁଣାଣି ଗତ ୪ ତାରିଖରେ ହୋଇଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାଏମ ରହିଥିବା ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରିରୁ ହାଇକୋର୍ଟକୁ ଏ ସଂକ୍ରାନ୍ତୀୟ ଆସିଥିବା ଚିଠିରୁ ସ୍ପଷ୍ଟ ହୋଇଛି ।

ଡିସେମ୍ବର ୭ ରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଥିବା ଆବେଦନକାରୀଙ୍କ ଓକିଲ ମୋହିତ ଅଗ୍ରୱାଲଙ୍କ ସୂଚନା ଦେଇଛନ୍ତି। ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟରେ ମେ ୧୨ ରୁ ବନ୍ଦ ରହିଛି ଫ୍ଲାଟ ରେଜିଷ୍ଟ୍ରେସନ। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ଅନ୍ତରୀଣ ରହିତାଦେଶକୁ ବଳବତ୍ତର ରଖିଛନ୍ତି ହାଇକୋର୍ଟ। ପୂର୍ବ ଶୁଣାଣି ସମୟରେ ରାଜ୍ୟ ସରକାର ଖୁବ ଶୀଘ୍ର ନୂଆ “ଆପାର୍ଟମେଣ୍ଟ ଓନରସିପ ଆକ୍ଟ” ପ୍ରଣୟନ କରିବେ ବୋଲି ହାଇକୋର୍ଟଙ୍କୁ ଅବଗତ କରିଥିଲେ। ଆପାର୍ଟମେଣ୍ଟରେ ଫ୍ଲାଟ ବୁକିଂ ପାଇଁ ସଂଶୋଧିତ ଫ୍ଲାଟ ବୁକିଂ ଏଗ୍ରିମେଣ୍ଟର ଏକ ଫର୍ମାଟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ମଧ୍ୟ ପୂର୍ବ ଶୁଣାଣିରେ ଉପସ୍ଥାପନ କରାଯାଇଥିଲା। ତେବେ ମୁଖ୍ୟ ପଞ୍ଜିକରଣ ଅଧିକାରୀ (IGR) ଏହି ଫର୍ମାଟର ଅନୁଧ୍ୟାନ କରି ଏହାକୁ କାର୍ଯ୍ୟକାରୀ କରିବା ଉପରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଥିଲେ।

କେନ୍ଦ୍ର ସରକାରଙ୍କ ନୂଆ ରେରା ଆଇନ ପ୍ରଣୟନ ପରେ ରାଜ୍ୟ ସରକାର ସେହି ଢାଞ୍ଚାରେ ଆଇନ ଆଣିବାକୁ ତିନି ମାସ ସମୟ ନେଇଥିଲେ। ରେରା ଆଇନ ଅନୁଯାୟୀ ଫ୍ଲାଟ ଓନର ଆସୋସିଏସନ ପଞ୍ଜିକରଣ ବିନା ଫ୍ଲାଟ ବିକ୍ରି ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ମୁଖ୍ୟ ପଞ୍ଜିକରଣ ଅଧିକାରୀ (IGR) ସମସ୍ତ ପଞ୍ଜିକରଣ ଗତ ମେ ୧୨ ତାରିଖରୁ ବନ୍ଦ କରିଥିଲେ। ୧୯୮୨ରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ପ୍ରଣ୍ରୟନ ହୋଇଥିବା ବେଳେ ୨୦୧୫ରେ ଏଥିରେ ସଂଶୋଧନ କରାଯାଇଥିଲା। ଏହାପରେ ୨୦୧୬ରେ ରିଅଲ୍‌ ଇଷ୍ଟେଟ୍‌ କାରବାରକୁ ସୁବ୍ୟବସ୍ଥିତ କରିବା ପାଇଁ ରେରା ଆଇନ କାର୍ଯ୍ୟକାରୀ କରାଯାଇଥିଲା।

ରେରା ଆଇନ ଅନୁସାରେ କୌଣସି ଆପର୍ଟମେଣ୍ଟରେ ଫ୍ଲାଟ କିଣୁଥିବା ବ୍ୟକ୍ତିମାନେ ବୁକିଂ ପରେ ଆସୋସିଏସନ୍ ଗଠନ କରିପାରିବେ। ଏହାର ଅର୍ଥ ଆପର୍ଟମେଣ୍ଟ କ୍ରୟ ସଂପର୍କିତ ଦଲିଲ କାର୍ଯ୍ୟକାରୀ ପୂର୍ବରୁ ଏପରି ଆସୋସିଏସନ୍ କରି ହେବ। ଯଦି ଫ୍ଲାଟ୍‌ ନିର୍ମାଣ ଓ ହସ୍ତାନ୍ତରରେ କିଛି ନିୟମ ବା ଚୁକ୍ତି ଉଲ୍ଲଂଘନ ହୁଏ ତେବେ ଏପରି ଆସୋସିଏସନ୍ ରେରା ଆଇନ ଅନୁସାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ। ରେରା ଆଇନ ବଳବତ୍ତର ରହିଥିବା ବେଳେ ସରକାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ କାର୍ଯ୍ୟକାରୀ କରିଥିଲେ। ଏ ସଂପର୍କିତ ୧୯୯୨ର ନିୟମାବଳୀରେ ସଂଶୋଧନ କରିଥିଲେ ସରକାର।

ଆପର୍ଟମେଣ୍ଟର ଅତି କମରେ ୮ଟି ଫ୍ଲାଟ୍‌ର ବିକ୍ରି ପରେ ଆପର୍ଟମେଣ୍ଟ ମାଲିକଙ୍କ ଆସୋସିଏସନ୍ କରି ହେବ ବୋଲି ନୂଆ ସଂଶୋଧିତ ନିୟମରେ ସ୍ପଷ୍ଟ କରାଯାଇଥିଲା। ୨୦୨୧ର ସଂଶୋଧିତ ନିୟମାବଳୀ ରେରା ଆଇନର ବିରୁଦ୍ଧାଚାରଣ କରୁଛି ଓ ଆପର୍ଟମେଣ୍ଟ ମାଲିକଙ୍କ ସ୍ବାର୍ଥବିରୋଧୀ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆପର୍ଟମେଣ୍ଟର ସାଧାରଣ ଅଞ୍ଚଳ(କମନ୍ ଏରିଆ) ମାଲିକମାନଙ୍କୁ ନେଇ ଗଠିତ ଆସୋସିଏସନ୍ ନାଁରେ ପଞ୍ଜିକୃତ ହେବା କ୍ଷେତ୍ରରେ ସଂଶୋଧିତ ନିୟମାବଳୀ ବାଧା ସୃଷ୍ଟି କରୁଛି। ଏପରି ସଂଶୋଧିନ ନିୟମାବଳୀକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ହାଇକୋର୍ଟଙ୍କୁ ପାର୍ଥନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.