ରତ୍ନଗିରି ବୌଦ୍ଧ ପୀଠରେ ଚାଲିଛି ପ୍ରତ୍ନତାତ୍ୱିକ ଉତଖନନ, ମିଳିଛି ୧୩ଶହ ବର୍ଷ ତଳର ଅନେକ ବିରଳ କୀର୍ତ୍ତିରାଜି

ଯାଜପୁର: ଗତ ଡିସେମ୍ବର ୫ତାରିଖ ଠାରୁ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧ ବିହାର ରତ୍ନଗିରିରେ ଚାଲିଛି ପ୍ରତ୍ନତାତ୍ଵିକ ଉତଖନନ । ଏହି ଉତଖନନରୁ ମିଳିଛି ୧୩ଶହ ବର୍ଷ ତଳର ଅନେକ ବିରଳ କୀର୍ତ୍ତିରାଜି । ଏହି ବୌଦ୍ଧ ପୀଠ ଖନନରୁ ପ୍ରଥମ ଥର ପାଇଁ ମୁଖ୍ୟ ଉପାସନା ଗୃହର ସନ୍ଧାନ ମିଳିବା ସହ ଏଥିରେ ରହିଛି ଶହ ଶହ ଦାନସ୍ତୁପ । ଏଥିସହ ୩ଟି ବିଶାଳ ବୁଦ୍ଧ ମସ୍ତକ, ହସ୍ତୀ ପ୍ରତିମା, ପ୍ରସ୍ତର ଖୋଦିତ ଧାରିଣୀ ମନ୍ତ୍ର ଲେଖା ଥିବା ଶିଳାଲିପି ମାଟି ତଳୁ ଆବିସ୍କୃତ ହୋଇଛି ।
ଦୁଇ ମାସରୁ ଅଧିକ ସମୟ ଧରି ବୈଜ୍ଞାନିକ ପଦ୍ଧତିରେ ଏହି ପ୍ରତ୍ନତାତ୍ଵିକ ଖନନ ଏବେ ବି ଚାଲୁ ରହିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଆସାମ କଟନ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଛାତ୍ରଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ଆସିଛନ୍ତି ପ୍ରତ୍ନତତ୍ତ୍ୱ ରିସର୍ଚ୍ଚ ସ୍କଲାର । ବର୍ତ୍ତମାନ ସୁଦ୍ଧା ମାଟି ତଳୁ ଯେତିକି ଅବଶେଷ ଆବିଷ୍କୃତ ହୋଇଛି ତାହା ବୌଦ୍ଧ ଗବେଷକଙ୍କୁ ବିସ୍ମିତ କରିଛି । ପ୍ରାୟ ୬୭ବର୍ଷ ପରେ ଏଏସଆଇ ପକ୍ଷରୁ ଏହି ଖନନ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଖନନ ଶେଷ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ବିଭାଗୀୟ ପ୍ରତ୍ନତତ୍ତ୍ଵ ଅଧିକ୍ଷକ କହିଛନ୍ତି ।
ପ୍ରାୟ ୬୭ବର୍ଷ ପୂର୍ବେ ୧୯୫୮ ମସିହାରେ ରତ୍ନଗିରି ପୀଠର ଉତଖନନ କାର୍ଯ୍ୟ ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଥିଲା । ସେତେବେଳେ ନଦୀନାଳ ପାରି ହୋଇ କଲିକତାରୁ ଡ଼. ଦେବଳା ମିତ୍ର ନାମକ ଜଣେ ମହିଳା ପ୍ରତ୍ନତତ୍ତ୍ୱବିତ ଏଠାରେ ୪ବର୍ଷ ରହି ୧୯୬୨ ମସିହା ପର୍ଯ୍ୟନ୍ତ ଖନନ କାର୍ଯ୍ୟ କରିଥିଲେ । ଖନନ ପରେ ଏଠାରୁ ବହୁ ବିରଳ କୀର୍ତିରାଜି ମାଟି ତଳୁ ଆବିଷ୍କାର ହୋଇଥିଲା । ରତ୍ନଗିରି ଖନନରୁ ମିଳିଥିବା ପ୍ରାୟ ୩ହଜାରରୁ ଅଧିକ ପ୍ରାଚୀନ ଓ ଦୁର୍ଲଭ କଳାକୃତି ରତ୍ନଗିରି ସଂଗ୍ରାହଳୟରେ ସ୍ଥାନ ପାଇଛି ।
ହୀରକ ତ୍ରିଭୁଜ ଅନ୍ତର୍ଗତ ଲଳିତଗିରି, ଉଦୟଗିରି ଓ ରତ୍ନଗିରି ମଧ୍ୟରୁ ରତ୍ନଗିରି ବୌଦ୍ଧ ପୀଠ ଖନନ ପରେ ଦୁଇଟି ବିଶାଳ ବୌଦ୍ଧ ମହାବିହାର, ଏକ ପୁରାତନ ମହାକାଳ ମନ୍ଦିର, ଇଟା ନିର୍ମିତ ଏକ ମହାସ୍ତୁପର ସନ୍ଧାନ ମିଳିଥିଲା । ବର୍ତ୍ତମାନ ରତ୍ନଗିରି ମହାବିହାର-୨ ସାମ୍ନାରେ ଥିବା ପୁରାତନ ମହାକାଳ ମନ୍ଦିର ପଛ ପାର୍ଶ୍ଵ ଖନନ କରାଯାଉଛି । ରତ୍ନଗିରିର ପ୍ରାଚୀନ ବୌଦ୍ଧପୀଠ ପଞ୍ଚମ ଶତାବ୍ଦୀରୁ ଆରମ୍ଭ ହୋଇ ସପ୍ତମ ଶତାବ୍ଦୀରେ ବିକଶିତ ହୋଇଥିଲା ।
ଖନନରୁ ସହସ୍ରାଧିକ ଭୋଟିଭ ସ୍ତୂପ ମଧ୍ୟ ଆବିଷ୍କୃତ ହୋଇଥିଲା । ତେବେ ଏହାର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପାଇଁ ଅନେକ ଥର ଦାବି ଉଠିଛି । ତେବେ ଦୀର୍ଘ ବର୍ଷ ପରେ ରତ୍ନଗିରି ବୌଦ୍ଧ ପୀଠ ଖନନ ହେବା ଦ୍ୱାରା ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ଇତିହାସର ଗବେଷଣା ଓ ଅଧ୍ୟୟନରେ ନୂଆ ଦିଗଦର୍ଶନ ଦେବ ବୋଲି ଆଶା କରାଯାଉଛି ।
ବିଶ୍ୱବିଖ୍ୟାତ ଯାଜପୁରର ରତ୍ନଗିରି ବୌଦ୍ଧପୀଠରେ ଚାଲିଛି ପ୍ରତ୍ନତାତ୍ଵିକ ଉତଖନନ । କେନ୍ଦ୍ର ସରକାରଙ୍କ ଅଧିନ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ଖନନ କାର୍ଯ୍ୟ ଜାରି ରହିଥିବା ବେଳେ ମାଟି ତଳୁ ମିଳୁଛି ବହୁ ଦୁର୍ଲଭ ଓ ବିରଳ କୀର୍ତ୍ତିରାଜିର ସନ୍ଧାନ । ପୂର୍ବରୁ ଏଠାରୁ ବହୁ ପୁରାତନ କୀର୍ତିରାଜି ଆବିଷ୍କୃତ ହୋଇଥିବା ବେଳେ ଏହି ଖନନ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଇତିହାସର ବହୁ ଅନାଲୋଚିତ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ଆଶା କରାଯାଉଛି ।
Also read: ଗଂଜାମ ବଲାଡି ଗାଁ ନିକଟ ରାସ୍ତା କଡ଼ରେ ଅଗ୍ନିକାଣ୍ଡ, ବଡ଼ ଧରଣର ଅଘଟଣରୁ ବର୍ତିଯାଇଥିଲେ ଗାଁ ଲୋକେ