ଜିଲ୍ଲା ପରିଷଦ ବୈଠକରେ ପ୍ରଶାସନିକ ଅଧିକାରୀ ଏବଂ ସାମ୍ବାଦିକଙ୍କ ମଧ୍ୟରେ ବାକ୍ ଯୁଦ୍ଧ

ବରଗଡ: ଚାଲିଛି ହୋ ହାଲ୍ଲା । ପାଟିତୁଣ୍ଡରେ କମ୍ପୁଛି ପରିବେଶ । ଘମାଘୋଟ ବାକ୍ ଯୁଦ୍ଧ । ହେଲେ ଭିଜୁଆଲରୁ ଯାହା ଜଣାପଡୁଛି କି, ଏଠାରେ ଚାଲିଥିଲା ଜିଲ୍ଲା ପରିଷଦ ବୈଠକ । ହେଲେ ଏହି ବୈଠକରେ ଏମିତି ପାଟିତୁଣ୍ଡ କାହିଁକି ଚାଲିଥିଲା । ତେବେ ଯାହା ସୂଚନା ମିଳିଛି କି, ଏହି ପାଟିତୁଣ୍ଡ ଚାଲିଥିଲା ପ୍ରଶାସନିକ ଅଧିକାରୀ ଏବଂ ସାମ୍ବାଦିକ ମଧ୍ୟରେ । ହଁ ଆଜ୍ଞା ପ୍ରଶାସନିକ ଅଧିକାରୀ ଏବଂ ସାମ୍ବାଦିକ ମଧ୍ୟରେ ଚାଲିଥିଲା ବାକ୍ ଯୁଦ୍ଧ। ଗଣମାଧ୍ୟମ ପ୍ରତିନିଧିଙ୍କୁ ବୈଠକରେ ବାରଣ କରିବା ଯୋଗୁଁ ହୋଇଛି ଏହି ହୋ ହାଲ୍ଲା । ଗଣମାଧ୍ୟମ ପ୍ରତିନିଧିଙ୍କୁ ସମର୍ଥନ କରି ବୈଠକରୁ ବାହାରି ଆସିଥିଲେ ଜନପ୍ରତିନିଧି ।
ତେବେ ବରଗଡ଼ ସହର ସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଚାଲିଥିଲା ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ବୈଠକ । ଉପସ୍ଥିତ ଥିଲେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ , ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡତିଆ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଜିଲ୍ଲାପାଳ ଆଦିତ୍ୟ ଗୋଏଲଙ୍କ ସମେତ ସମସ୍ତ ବିଭାଗର ପ୍ରଶାସନିକ ଅଧିକାରୀ ଏବଂ ଜନ ପ୍ରତିନିଧି । ଡିଆଇପିଆରଓ ଙ୍କ ନିମନ୍ତ୍ରଣରେ ଉପସ୍ଥିତ ଥିଲେ ସାମ୍ବାଦିକମାନେ । ତେବେ ଜଣେ ଅଧିକାରୀ ସାମ୍ବାଦିକ ମାନଙ୍କୁ ବୈଠକରୁ ବାହାରି ଯିବାକୁ କହିଥିଲେ । ଯାହାହାପରେ ଆରମ୍ଭ ହୋଇଥିଲା ଏଭଳି ପାଟିତୁଣ୍ଡ ଓ କଥା କଟାକଟି ।
ଜଣେ ସାମ୍ବାଦିକ ଏଭଳି ସ୍ଥିତିରେ ନିଜ ଅସନ୍ତୋଷ ଜାହିର କରିଥିଲେ । ଯାହାଫଳରେ ବୈଠକ କିଛି ସମୟ ବନ୍ଦ ହୋଇଗଲା । କିଛି ଜଣ ଜିଲ୍ଲା ପରିଷଦ ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷ ବୈଠକରୁ ବାହାରି ଆସିଥିଲେ । ସାମ୍ବାଦିକ ମାନଙ୍କୁ ବୈଠକରୁ ବାହାରି ଯିବା ପାଇଁ କହିଥିବା ଅଧିକାରୀ ହାତ ଯୋଡ଼ି ପ୍ରାର୍ଥନା କରୁଥାନ୍ତି ହେଲେ ଶାନ୍ତ ପଡୁ ନଥିଲେ ସାମ୍ବାଦିକ ଜଣକ । ଏପଟେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାମିନୀ ଭୋଇ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏଭଳି ଦୃଶ୍ୟ ସାମ୍ନାକୁ ଆସିବା ପରେ ନାନା ମୁନୀ ନାନା ମତ ଦେବା ସଦୃଶ୍ୟ ହୋଇଥିବାବେଳେ, ସାମ୍ବାଦିକ ବନ୍ଧୁଙ୍କ ଆଚରଣ ଓ ଉଚ୍ଚାରଣ ଦେଖି ସମସ୍ତେ କହୁଥିଲେ ଟିକେ ବେଶି ହୋଇଗଲା ।