ବାଥୁଡ଼ି ଓ ସାନ୍ତାଳମାନଙ୍କର କଳା ଓ କଳାବସ୍ତୁ ପ୍ରଦର୍ଶନୀ ଉଦ୍‌ଘାଟିତ, ଆଜିଠାରୁ ଫେବୃଆରୀ ୩ ଯାଏଁ ଚାଲିବ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ପୂର୍ବାହ୍ନରେ ସ୍ଥାନୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନର ସାନ୍ତାଳ ଘର ପ୍ରାଙ୍ଗଣ ଓ ଜୁଆଙ୍ଗ ମଣ୍ଡଘରଠାରେ ଓଡ଼ିଶାର ଦୁଇଗୋଟି ଜନଜାତି ଯଥା-ବାଥୁଡ଼ି ଓ ସାନ୍ତାଳମାନଙ୍କର କଳା ଓ କଳାବସ୍ତୁ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଛି । ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ସହଯୋଗିତାରେ ଆୟୋଜିତ ଏହି ପ୍ରଦର୍ଶନୀକୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ ଅବସରରେ  ଇନ୍ଦ୍ରମଣି ତ୍ରିପାଠୀ ଜନଜାତି କାରିଗରମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ସେମାନଙ୍କର ଉତ୍ପାଦନ ସଂପର୍କରେ ତଥ୍ୟ ପଚାରି ବୁଝିଥିଲେ ।

ଏହି କାର୍ଯ୍ୟକ୍ରମରେ ୧୦ ଜଣ କାରିଗର ଅଂଶଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ହେଉଛନ୍ତି ସବାଇ ଘାସ ଶିଳ୍ପ ଓ ପାଞ୍ଚ ଜଣ ହେଉଛନ୍ତି ଡୋକରା ଶିଳ୍ପ କାରିଗର । ସବାଇ ଓ ଡୋକରା ଶିଳ୍ପରେ ଅଂଶଗ୍ରହଣ କରିଥିବା କାରିଗରମାନେ ସାନ୍ତାଳ ଓ ବାଥୁଡ଼ି ଜନଜାତି ସଂପ୍ରଦାୟର ଅଟନ୍ତି । ସବାଇ ଘାସ ଶିଳ୍ପରେ ସମସ୍ତ ମହିଳା ଅଂଶଗ୍ରହଣ କରିଥିବାବେଳେ ଡୋକରା ଶିଳ୍ପରେ ତିନିଜଣ ମହିଳା ଓ ଦୁଇଜଣ ପୁରୁଷ ଅଂଶଗ୍ରହଣ କରିଛନ୍ତି । ସବାଇ ଶିଳ୍ପ କାରିଗର ମୟୂରଭଞ୍ଜ ଜିଲ୍ଲାର ବାରିପଦା ଅଞ୍ଚଳରୁ ଆସିଥିବାବେଳେ ଡୋକରା ଶିଳ୍ପ କାରିଗର ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରୁ ଆସିଛନ୍ତି ।

ଆଜିଠାରୁ ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ । ଏହି କାର୍ଯ୍ୟକ୍ରମରେ ସକାଳ ୧୦ ଘଟିକାଠାରୁ ୫ ଘଟିକା ପର୍ଯ୍ୟନ୍ତ ସବାଇ କ୍ରାଫଫ ଓ ଡୋକରା କ୍ରାଫଫର କାରିଗରମାନେ ସେମାନଙ୍କର କଳାବସ୍ତୁ ପ୍ରସ୍ତୁତିର ପ୍ରତ୍ୟକ୍ଷ ପ୍ରଦର୍ଶନ କରିବେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଏବଂ ଏସ୍‌ସିଏସ୍‌ଟିଆର୍‌ଟିଆଇ ପକ୍ଷରୁ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି ।

Leave A Reply

Your email address will not be published.