ପୋଡ଼ାଗଡ଼/କଣିଁହା : ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷାପାଣି , ରାସ୍ତା ସାରା ପାଣି । ସୃଷ୍ଟି ହୋଇଛି କୃତିମ ପୋଖରୀର ଭ୍ରମ । ଅଞ୍ଚଳବାସୀ ଭୋଗୁଛନ୍ତି କଷ୍ଟ । ଏ ହେଉଛି ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ସୁଶୁବା ଗ୍ରାମପଞ୍ଚାୟତର ପୋଡ଼ାଗଡ଼ ଗ୍ରାମ ମଧ୍ଯ ଦେଇ ଯାଇଥିବା ଆର୍.ଡ଼ି. ରୋଡ଼ର ଦୃଶ୍ଯ । ଦେଖିଲେ ଲାଗୁଛି ସତେ ଯେପରି ରାସ୍ତା ମଝିରେ ଖୋଳାଯାଇଛି ପୋଖରୀ । ଦୀର୍ଘ ଦିନ ହେବ ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି ରାସ୍ତାର ଅବସ୍ଥା । ରାସ୍ତାର ଦୁଇପାର୍ଶ୍ୱରେ ଡ୍ରେନ୍ ର ସୁବିଧା ନଥିବାବେଳେ ଟିକିଏ ବର୍ଷା ହେଲେ ଦୀର୍ଘ ଦିନ ଜମିରହୁଛି ପାଣି । ଫଳରେ ଯାତାୟତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବାସିନ୍ଦା ।
ଭାଲୁମୁଣ୍ତା ଜାତୀୟ ରାଜପଥ ଠାରୁ ପୋଡାଗଡ ଗ୍ରାମ ଆରମ୍ଭରେ ଥିବା ଜାତୀୟ ରାଜପଥ ପର୍ଯ୍ୟନ୍ତ ପାଖାପାଖି ଅଠରରୁ କୋଡ଼ିଏ ଖଣ୍ତ ଗାଁର ଲୋକଙ୍କ ପାଇଁ ଯାତାୟତର ମାଧ୍ୟମ କେବଳ ଏହି ଗୋଟିଏ ରାସ୍ତା । ବିନା ୱାର୍କ ଅର୍ଡରରେ ଡ୍ରେନ ତିଆରି ପାଇଁ ଖୋଳିଦେଇ ନିଘୋଡ ନିଦ୍ରାରେ ଶୋଇଯାଇଛନ୍ତି ସରପଞ୍ଚ । ସରପଞ୍ଚ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିବାପରେ ପଦବୀରୁ ପ୍ରତ୍ୟାଖ୍ୟାନ ହେଲେ । ସରପଞ୍ଚଙ୍କ ଦାୟୀତ୍ଵଭାର ମୁଣ୍ତାଇଲେ ନାଏବ ସରପଞ୍ଚ । ଅଞ୍ଚଳବାସୀ ନାଏବ ସରପଞ୍ଚଙ୍କୁ ବାରମ୍ବାର କହି ଆସୁଥିଲେ ମଧ୍ଯ ଟିକେ ବି ନଜର ପଡୁନି ।
ତିନିବର୍ଷ ହେବ ଡ୍ରେନେଜ ଓ ଜଳବନ୍ଦୀ ଅବସ୍ଥା ଲାଗିରହିଛି । ଏନେଇ ବାରମ୍ବାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କଠାରୁ ବିଧାୟକଙ୍କୁ ଜଣାଇ ଆସୁଥିଲେ ମଧ୍ଯ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳୁନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । କଣିଁହା ବିଡ଼ିଓ ଦେବଦତ୍ତ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି , ଏ ବିଷୟରେ ଆପଣଙ୍କ ଠାରୁ ଖବର ପାଇଲି । ବିଭାଗୀୟ ଜେ.ଇ ଙ୍କୁ ପଠାଇ ସମସ୍ୟା ସମାଧାନର ରାସ୍ତା ବାହାର କରିବୁ । ଗ୍ରାମାଞ୍ଚଳକୁ ସରସ ସୁନ୍ଦର କରିବାପାଇଁ ସରକାର ଯୋଜନା ଉପରେ ଯୋଜନା ଗଢ଼ି ଚାଲିଥିବାବେଳେ ଏଠାକାର ଦୃଶ୍ଯ କିନ୍ତୁ ସମ୍ପୂର୍ଣ୍ଣ ଓଲଟା । ଦେଖିବାକୁ ବାକିରହିଲା ଏ ସମସ୍ୟାର ସମାଧାନ ପାଇଁ କେବେ ପଡୁଛି ପ୍ରଶାସନର ନଜର ।