ଅଦ୍ୱିତୀୟ କାରିଗର ହରେକୃଷ୍ଣ ମହାରଣା, ଯାହାଙ୍କ ହାତର ସ୍ପର୍ଶରେ ମାଟି ମୂର୍ତ୍ତି ପାଉଛି ଜୀବନ୍ତ ରୂପ

ଆନନ୍ଦପୁର(କେନ୍ୟୁଜ୍): ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ନିଜର ହାତର ସ୍ପର୍ଶରେ ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ । କଥାରେ ଅଛି ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନେ ବୟସ । ସେ ନିଜ ଇଚ୍ଛାକୁ ସମ୍ମାନ ଜଣାଇ ନିଜ ପେଶାକୁ ଆଗକୁ ନେଇ ଚାଲିଛନ୍ତି । ଆଉ ସମାଜ ପାଇଁ ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ ।

ତେବେ ମୂର୍ତ୍ତି କାରିଗରଙ୍କ ଗାଁ ହେଉଛି ଅଳତୀ । ତୁଳସୀ ଦୁଇପତ୍ରରୁ ବାସିବା ପରି ଏହି ଗାଁର ଅନେକ କାରିଗର ଛୋଟ ଦିନରୁ ନିଜ କାରିଗରୀର ଯାଦୁ ଦେଖାଇ ଆସିଥାନ୍ତି । ଏହି ଗାଁ କଳାକାରଙ୍କ ମଧ୍ୟରୁ ହରେକୃଷ୍ଣ ମହାରଣାଙ୍କ କାରିଗରୀ ଅଦ୍ୱିତୀୟ । ତାଙ୍କ କାରିଗରୀର ଛାପ କେବଳ ରାଜ୍ୟ ନୁହଁ ରାଜ୍ୟ ବାହାରେ ମଧ୍ୟରେ ରହିଛି ।

ପୁରୀ ହରିହରାନନ୍ଦ ଗୁରୁକୂଳ ଆଶ୍ରମ ହେଉ,କିମ୍ବା ଘଟଗାଁର ପ୍ରସିଦ୍ଧ ମାତାରିଣୀ ମନ୍ଦିର ସହିତ ୧୫ ଜିଲ୍ଲାରେ ରହିଛି ତାଙ୍କ କଳାର ଆଦର । ମାଟି,ସିମେଣ୍ଟ,ଫାଇବର୍ ରେ ମୂର୍ତ୍ତି ତିଆରି,ଷ୍ଟୁଡିଓ ସିନେରୀ,ଅପେରା ପାର୍ଟି ଦ୍ଵିତୀୟ ମଞ୍ଚର ସାଜସଜ୍ଜା,ମନ୍ଦିରର ସୁକ୍ଷ୍ମ କାରୁକାର୍ଯ୍ୟ ଆଦିରେ ସେ ପାରଦର୍ଶିତା ହାସଲ କରି ପାରିଛନ୍ତି ।

କଥା କହୁଛି  ହରେକୃଷ୍ଣଙ୍କ ହାତ । ମାଟିରେ ବିଭିନ୍ନ ଦେବାଦେବୀଙ୍କ ନିଖୁଣ ମୂର୍ତ୍ତି ତିଆରି କରି ବେଶ ପ୍ରଶଂସା ସାଉଁଟୁଛନ୍ତି । ତେବେ ପେଶାଦାର କାରିଗର ଭାବେ ସେ ଏଭଳି ସୁନ୍ଦର ସୁନ୍ଦର ମୂର୍ତ୍ତିମାନ ନିର୍ମାଣ କାର୍ଯ୍ୟ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ବି ହୋଇଛନ୍ତି ।

ତେବେ  ତାଙ୍କର ନିଖୁଣ କାରିଗର ପାଇଁ ରାଜ୍ୟ ତଥା ବାହାରୁ ମୂର୍ତ୍ତି ନିର୍ମାଣ ପାଇଁ ବହୁ ଅର୍ଡର ଆସୁଛି । ଏପଟେ ହରେକୃଷ୍ଣଙ୍କ ଏଭଳି କାରୁକାର୍ଯ୍ୟ ପାଇଁ ପରିବାର ଲୋକେ ଓ ଗ୍ରାମବାସୀ ମାନେ ବେଶ ଗର୍ବ ଅନୁଭବ କରୁଛନ୍ତି ।

Leave A Reply

Your email address will not be published.