ରଙ୍ଗ ତୁଳୀରେ ଯାଦୁ ଦେଖାଉଛନ୍ତି ଚିତ୍ରଶିଳ୍ପୀ କୁବେର ଭୋଇ, ସମାଜକୁ ଦେଉଛନ୍ତି ବାର୍ତ୍ତା
ଲୋକଙ୍କ ପାଇଁ ଭିନ୍ନ ବାର୍ତ୍ତା ଦେବାର ଲକ୍ଷ୍ୟ ନେଇ ରଙ୍ଗ ତୁଳୀ ଧରି ବସି ପଡ଼ିଛନ୍ତି ଚିତ୍ରଶିଳ୍ପୀ । ସୁନିତା ୱିଲିୟମ୍ସ ଦୀର୍ଘ ଦିନ ହେବ ମହାକାଶରେ ଫସି ରହିଛନ୍ତି । ସେ କେବେ ଫେରିବେ କିଛି ଜଣା ନାହିଁ । କିନ୍ତୁ ଏତେ ବଡ଼ ପଦକ୍ଷେପ ନେଇ ମହାକାଶରେ ଦିନ କାଟୁଥିବାରୁ ତାଙ୍କ ପାଇଁ ଜଣେ ଚିତ୍ରକର ଚିତ୍ର ମାଧ୍ୟମରେ ଅନ୍ୟମାନଙ୍କୁ ବାର୍ତ୍ତା ଦେଇଛନ୍ତି ।
ରାସ୍ତା କଡ ଓ କାନ୍ଥରେ ଚିତ୍ର ଆଙ୍କି ସମାଜକୁ ବାର୍ତ୍ତା ଦେଉଛନ୍ତି ଚିତ୍ରକର । ନିଜ ଛବି ମାଧ୍ୟମରେ ଯୁବପିଢ଼ିଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଅନୁଗୁଳ ଜିଲ୍ଲା ସୁସୁଡା ଗାଁର କୁବେର ଭୋଇ । କୁବେର କମ୍ ପାଠ ପଢି ଓ ବିନା ତାଲିମ୍ ରେ ସୁନ୍ଦର ସୁନ୍ଦର ଛବି ନିଜ ହାତରେ ଆଙ୍କୁଛନ୍ତି । ତେବେ ସେ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୀର ଯୋଦ୍ଧା ଓ ସ୍ବାଧୀନତା ସଂଗ୍ରାମୀଙ୍କର ଫଟୋ ଚିତ୍ର ଆଙ୍କି ସମାଜକୁ ସଚେତନତାର ବାର୍ତ୍ତା ଦେଇଥାନ୍ତି । ତେବେ ସୁନିତା ୱିଲିୟମ୍ସ ମହାକାଶକୁ ଯାଇଛନ୍ତି । ସେ ସ୍ପେସଏକ୍ସ କ୍ରୁ-୯ ମାଧ୍ୟମରେ ଭୂମିକୁ ଫେରିବା ପାଇଁ ଅପେକ୍ଷାରେ ଥିବା ବେଳେ ତାଙ୍କର ମଙ୍ଗଳ କାମନା କରି ଭଲରେ ଭଲରେ ସେ ଭୂପୃଷ୍ଠକୁ ଫେରି ଆସିବା ପାଇଁ ଚିତ୍ରଶିଳ୍ପୀ କୁବେର ଅନୁଗୁଳ ସ୍ବୟଂ ଶାସିତ ମହାବିଦ୍ୟାଳୟ ସାମ୍ନାରେ ନାସା ଅନୁସନ୍ଧାନୀ ସୁନିତା ୱିଲିୟମ୍ସଙ୍କ ଫଟୋ ଚିତ୍ର ଆଙ୍କି ଭାଗବାନଙ୍କୁ ପ୍ରାର୍ଥନା କରିଛନ୍ତି । ସେ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାପୁରୁଷ ଓ ସ୍ବାଧୀନତା ସଂଗ୍ରାମୀଙ୍କର ଛବି ଆଙ୍କି ଯୁବ ପିଢିଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି । ତେବେ ଏହି ସବୁ ଚିତ୍ର ସେ ନିଜ ପଇସାରୁ ଖର୍ଚ୍ଚ କରି ସମାଜକୁ ସଚେତନ କରିବା ସହ ଯୁବପିଢ଼ିଙ୍କୁ ବାର୍ତ୍ତା ଦେବା ପାଇଁ ଚେଷ୍ଟା କରୁଛନ୍ତି । ତେବେ କୁବେରଙ୍କର ଏଭଳି କାର୍ଯ୍ୟକୁ ଅନୁଗୁଳ ବାସୀ ବେଶ ପ୍ରଶଂସା କରୁଛନ୍ତି ।
ପେଟ ପୋଷିବା ପାଇଁ ସମସ୍ତେ କିଛି ନା କିଛି କାମ କରନ୍ତି । ଏ ଚିତ୍ରକର କିନ୍ତୁ ପେଟ ପୋଷିବା ସହ ନିଜ ଟଙ୍କା ଖର୍ଚ୍ଚ କରି ଦୁନିଆକୁ ବାର୍ତ୍ତା ଦେବା ପାଇଁ ଚେଷ୍ଟା କରୁଛନ୍ତି । ଯାହା ସମସ୍ତଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚିତ ।