ଭକ୍ତଙ୍କ ପାଇଁ ଆସିଥିଲା ୩୫ଟି ଇ-ବସ୍, କିନ୍ତୁ ଚାର୍ଜିଙ୍ଗ ଷ୍ଟେସନ ନଥିବାରୁ ଅଦରକାରୀ ହୋଇପଡିଛି

ପୁରୀ: ଅଦରକାରୀ ହୋଇ ପଡ଼ିରହିଛି ୩୫ଟି ଇ ବସ୍ । ଭକ୍ତଙ୍କ ସେବାରେ ଲାଗୁନି ଏହି ବ୍ୟାଟେରୀ ଚାଳିତ ବସ୍ । ପରିକ୍ରମା ପ୍ରକଳ୍ପ ସମୟରେ ଶ୍ରୀକ୍ଷେତ୍ର ଆସିଥିବା ଏହି ୩୫ ବସ୍ ଏବେ ସମଙ୍ଗ ପାର୍କିଂ ସ୍ଥଳରେ ଅଲୋଡା ହୋଇ ପଡିରହିଛି । ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତଙ୍କ ପାଇଁ ଉଦିଷ୍ଟ ଏହି ବସ କିଣାଯିବା ଦିନଠାରୁ ଥରଟିଏ ବି ଗଡ଼ି ନାହିଁ । ଶ୍ରୀମନ୍ଦିର ପ୍ରଶାସନ ଲୋଗୋ ସହ ସାଂସ୍କୃତିକ ଚିତ୍ରରେ ଚିତ୍ରିତ ହୋଇଛି ଏହି ସବୁ ବସ୍ । ଏବେ ବି ଗାଡ଼ି ଗୁଡ଼ିକର ଚାର୍ଜିଙ୍ଗ ଷ୍ଟେସନ ସମ୍ପୁର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ପାରିନାହିଁ ।

୨ଟି ଚାର୍ଜିଙ୍ଗ ଷ୍ଟେସନ କାମ ସରିଥିବା ବେଳେ ଏବେ ଆଉ ୫ଟି ପ୍ରସ୍ତୁତ କରାଯାଉଛି । ବିନା ଚାର୍ଜିଂ ଷ୍ଟେସନରେ ସମ୍ପୁର୍ଣ୍ଣ ନୂଆ କିଣାଯାଇଥିବା ଏହି ଗାଡ଼ି ଗୁଡ଼ିକ ଏବେ ୬ ମାସ ଧରି ଅଚଳ ହୋଇ ପଡ଼ିରହିଛି ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଶ୍ରୀକ୍ଷେତ୍ର ଆସିଥିଲା ଏହି ୩୫ଟି ଇ ବସ୍ । ସମଙ୍ଗ ପାର୍କିଂ ସ୍ଥଳ ଠାରୁ ଜଗନ୍ନାଥ ବଲ୍ଲଭ ପର୍ଯ୍ୟନ୍ତ ଏ ଗାଡ଼ି ଗୁଡ଼ିକ ଭକ୍ତଙ୍କୁ ନେଇ ଯାତାୟାତ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

ଗାଡ଼ିରେ ରହିଛି ୨୫ ସିଟ୍ । ଦିବ୍ୟାଙ୍ଗମାନଙ୍କ ଚଢ଼ିବ ପାଇଁ ରହିଛି ସ୍ଵତନ୍ତ୍ର ଲିଫ୍ଟ ବ୍ୟବସ୍ଥା । ସମ୍ପୁର୍ଣ୍ଣ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ବ୍ୟାଟେରୀ ଚାଳିତ ଏହି ବସ୍ ପାଇଁ ଚାର୍ଜଂ ପଏଣ୍ଟର ଆବଶ୍ୟକତା ରହିଛି । ଏହି ବ୍ୟାଟେରୀ ଚାଳିତ ବସ୍ ଶ୍ରିସେତୁରେ ପରୀକ୍ଷାମୂଳକ ଭାବରେ ସେତେବେଳେ ଯାତାୟାତ କରି ସାରିଥିବା ବେଳେ ଅସଜଡା ଭିତ୍ତିଭୂମି ଯୋଗୁଁ ଏବେ ଏହା ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିରହିଛି । ସେପଟେ ପରିଚାଳନା କମିଟିର ନିଷ୍ପତ୍ତି ନିଆଯିବା ପରେ ଏହା କାର୍ଯ୍ୟକ୍ଷମ କାରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ।

ଆସନ୍ତା ୫ ତାରିଖରେ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ଖୁବଶୀଘ୍ର ଏହି ବିଷୟରେ ଆଲୋଚନା କରାଯିବ । ଏହି ବସଗୁଡ଼ିକ ରାଜ୍ୟ ପରିବହନ ବିଭାଗକୁ ହସ୍ତାନ୍ତର କରାଯିବ କି ଶ୍ରୀମନ୍ଦିର ପ୍ରଶାସନର ଅଧୀନରେ ଏହା ରହିବ ତାହା ନିଷ୍ପତି ପରେ ଜଣା ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.