ଅସହାୟ ବାସନ୍ତୀଙ୍କ ପାଇଁ ଘର ତୋଳିଦେଲେ ସ୍ଵେଚ୍ଛାସେବୀ, ଛୁଟୁଛି ପ୍ରଶଂସା

ଚର୍ମ ଧୁରୁଡ଼ି ଗଲାଣି । ଅଣ୍ଟା ନଇଁଗଲାଣି । କଥା ମଧ୍ୟ ଠିକ୍‌ରେ କହିପାରୁନାହାନ୍ତି । ଆଉ ଏଭଳି ଅବସ୍ଥାରେ ସେ ଦିନେ ପାଲଟଣା ଘରେ ଖରା,ବର୍ଷା, ଶୀତ ସହି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିଲେ ।

ଆଳି(କେନ୍ୟୁଜ୍‌): ଘର ଭିତରୁ ନୀରିହ ଆଖି ଦୁଇଟିରେ ଚାହିଁ ରହିଛନ୍ତି ବୁଢୀ ମାଉସୀ । ତାଙ୍କ ନିରୀହ ଆଖିର ନିଷ୍ପାପ ଚାହାଁଣୀ ଦେଖିଲେ ଆଖିରୁ ଲୁହ ଖସି ଆସିବ ।  ଚର୍ମ ଧୁରୁଡ଼ି ଗଲାଣି । ଅଣ୍ଟା ନଇଁଗଲାଣି । କଥା ମଧ୍ୟ ଠିକ୍‌ରେ କହିପାରୁନାହାନ୍ତି । ଆଉ ଏଭଳି ଅବସ୍ଥାରେ ସେ ଦିନେ ପାଲଟଣା ଘରେ ଖରା,ବର୍ଷା, ଶୀତ ସହି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିଲେ । ହେଲେ କଥାରେ ଅଛି ଆଜିର ଏ ସ୍ୱାର୍ଥପର ଦୁନିଆରେ କିଛି ମଣିଷ ଏପରି ଅଛନ୍ତି ଯେଉଁମାନେ ଅସହାୟ ମଣିଷଙ୍କ ଦୁଃଖ ବୁଝନ୍ତି । ଯଥା ସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା ବି କରନ୍ତି । ଦେବଦୂତ ଭଳି ଦୁଃଖ ଦୁର କରି ଅସହାୟ ମୁହଁରେ ହସ ଫୁଟାନ୍ତି ।

ଏ ହେଉଛନ୍ତି ଅସହାୟ ବାସନ୍ତୀ ଜେନା । ଯାହାଙ୍କ ପାଇଁ ଏବେ ଘର ତୋଳି ଦେଇଛନ୍ତି ସ୍ଵେଚ୍ଛାସେବୀ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ କଅଁରପୁର ଗ୍ରାମର ୭୦ ବର୍ଷୟା ବାସନ୍ତୀ ମାଉସୀ ରାଜନଗର ବ୍ଳକ ବାବର ଅଞ୍ଚଳରେ ବିବାହ କରିଥିଲେ । ବିଭାଘରର ମାତ୍ର ୫ ବର୍ଷ ପରେ ସ୍ୱାମୀକୁ ହରାଇ ଆଶ୍ରା ନେଇଥିଲେ ବାପଘର ଗାଁ କଅଁରପୁରରେ । ଘରଟିଏ ନଥିବାରୁ ପାଲ ଟାଣି ରହୁଥିଲେ । ଆହା ପଦେ କହିବାକୁ କେହି ନାହିଁ ।

ଅସହାୟ ବାସନ୍ତୀଙ୍କୁ ଏଭଳି ଦୟନୀୟ କରୁଣ କାହାଣୀ ବିଷୟରେ ଜାଣିବାକୁ ପାଇଥିଲେ ପତ୍ରପୁରର “ଆସ ଖୁସି ବାଣ୍ଟିବା ଫାଉଣ୍ଡେସନ”ର ଯୁବସଦସ୍ୟ ମାନେ । ୩ମାସ ତଳେ ବାସନ୍ତୀଙ୍କ ନିକଟରେ ଫାଉଣ୍ଡେସନ”ର ସଦସ୍ୟ ମାନେ ପହଞ୍ଚି ତାଙ୍କୁ ଖାଦ୍ୟ ରାସନ ଯୋଗାଇ ଦେବା ସହିତ ଘରଟିଏ ତୋଳିଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ଅନୁଯାୟୀ ଟ୍ରଷ୍ଟର ସଭାପତି ପ୍ରଶାନ୍ତ ଜେନା ଓ ଉପ ସଭାପତି ସୁବ୍ରତ ବେହୁରାଙ୍କ ତତ୍ୱାବଧାନରେ ଘର ତିଆରି ରେ ଲାଗି ପଡିଥିଲେ ଟ୍ରଷ୍ଟର ଯୁବସଦସ୍ୟ ମାନେ ଗୃହ ନିର୍ମାଣ ପୂର୍ଣ୍ଣାଙ୍ଗ ହେବାପରେ ବାସନ୍ତୀ ଆଜି ଗୃହପ୍ରବେଶ କରିଛନ୍ତି ।

ଏଭଳି ମହତ କାର୍ଯ୍ୟ କରିଥିବାରୁ ସ୍ଵେଚ୍ଛାସେବୀ ସଂଗଠନର ସମସ୍ତ ସଦସ୍ୟଙ୍କୁ ସବୁଠି ପ୍ରଶଂସା କରାଯାଇଛି । ଆଜିକାଲିର ଦୁନିଆରେ କେହି କାହାର ସାହାଯ୍ୟ କରିବା ବହୁତ ବଡ଼ କଥା । ତେବେ ଅତି ଦୟନୀୟ ଅବସ୍ଥାରେ ପାଲ ତଳେ ପଡ଼ି ରହିଥିବା ବାସନ୍ତୀ ଆଜି ଘର ଖଣ୍ଡିଏ ପାଇବା ପରେ ବହୁତ ଖୁସି ।