ମାନବିକତା ଦେଖାଇଲେ ଆଶାକର୍ମୀ, ଗର୍ଭବତୀ ମହିଳାଙ୍କୁ ନଦୀ ପାରି କରାଇ ପହଞ୍ଚାଇଲେ ଡାକ୍ତରଖାନା

କାକଟପୁର: ପୁଣି ଜନନୀ ଯନ୍ତ୍ରଣା ଦୃଶ୍ୟ । ମାନବିକତା ଦେଖାଇଲେ ଆଶାକର୍ମୀ । ବିକାଶ ଏଠାରେ ବାଟବଣା । ବର୍ଷା ଋତୁ ଆସିବା ମାତ୍ରେ ନୀତି ଦିନିଆ ରାସ୍ତାର ଅବସ୍ଥା ନ କହିବା ଭଲ । ଗାଁକୁ ନା ଅଛି ଭଲ ରାସ୍ତା ନା କୌଣସି ସୁବିଧା । ଗର୍ଭବତୀ ମହିଳାଙ୍କ ସନ୍ତାନ ପ୍ରସବ ବେଦନା ପାଇଁ ନଦୀ ପାର କରାଇଲେ ଆଶା କର୍ମୀ । ପ୍ରସବ ପରେ ବି ପୁତ୍ର ସନ୍ତାନ ଏବଂ ମା ନଦୀ ପାର ହୋଇ ଗହିର ବିଲରେ ଏକ କିଲୋମିଟର ଚାଲି ଚାଲି ପହଞ୍ଚିଲେ ନିଜଘରେ ।
ହଁ ଆଜ୍ଞା,ବିକାଶ ନାମକ ଚିତ୍ରପଟ ଅନେକ ସ୍ଥାନରେ ବାଟବଣା ହୋଇଥିବା ଦେଖିବାକୁ ମିଳିଥାଏ । ସେହିଭଳି ଏକ ସ୍ଥାନ ହେଉଛି ଅସ୍ତରଙ୍ଗ ବ୍ଲକର ମାଣ୍ଡୁକି ପଞ୍ଚାୟତର ମାଣ୍ଡୁକି ଗାଁର ଏକ ସ୍ଥାନ ହେଉଛି କାଳିଆ ଜୋର ଅଞ୍ଚଳ । ଏହି କାଳିଆ ଜୋର ନାମକ ଏକ ଶାଖା ନଦୀର ଆରପଟେ ଆଜିକୁ ଦୀର୍ଘ ବର୍ଷ ହେବ ରହିଆସୁଛନ୍ତି ତିନୋଟି ପରିବାର । ଏଠାରେ ରହୁଥିବା ତିନୋଟି ପରିବାର ମଧ୍ୟରୁ ଗୋଟିଏ ପରିବାରର ବୋହୁ ଇତିଶ୍ରୀ ଭୋଇ ନାମକ ମହିଳାଙ୍କ ଗର୍ଭଯନ୍ତ୍ରଣାର ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଛି । ଏଠାକୁ କୌଣସୀ ଗମନା ଗମନର ସୁବିଧା ନ ଥିବା ଯୋଗୁଁ ଇତିଶ୍ରୀଙ୍କ ଗର୍ଭ ଯନ୍ତ୍ରଣା ସମୟରେ ତାଙ୍କୁ କାଦୁଆ ନଦୀର ଶାଖା ନଦୀ କାଳିଆ ଜୋର ନଦୀକୁ ପାର କରାଇବା ପାଇଁ ସେଠାକାର ଆଶା କର୍ମୀ କବିତା ରଥ କିଛି ମହିଳାଙ୍କ ସହାୟତାରେ ଗର୍ଭବତୀ ମହିଳାଙ୍କୁ ମେଡିକାଲରେ ପହଞ୍ଚାଇଥିଲେ । ଯାହା ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ନଦୀପାର ହୋଇ ମେଡିକାଲକୁ ତାଙ୍କୁ ନେଇ ଯାଉଥିବାର ଫଟୋ ବେଶ ଭାଇରାଲ ହେଉଛି । ଏତିକିରେ ସରିନଥିଲା ଦୁଃଖ ଇତିଶ୍ରୀ କୁ ଜନ୍ମ ଦେଇ ଘରକୁ ଫେରିଲା ସମୟର ବେଦନା ଭରା ଚିତ୍ର ଆହୁରି ଅଧିକ ଆଶ୍ଚର୍ଯ୍ୟ କରିଛି ।
ଆଶା କର୍ମୀ ଏବଂ କେତେକ ମହିଳାଙ୍କ ସହାୟତାରେ ନଦୀ ପାର କରାଇ ଇତିଶ୍ରୀଙ୍କୁ ନିଆଯାଇଥିବା ବେଳେ ଏକ ଘରୋଇ ମେଡିକାଲରେ ସେ ପୁଅକୁ ଜନ୍ମ ଦେଇଥିଲେ । ଏତିକିରେ ଇତିଶ୍ରୀ ଙ୍କ କଷ୍ଟ ଲାଘବ ହୋଇ ନଥିଲା ,ମେଡିକାଲ ରେ ଚାରିଦିନ ରହିବା ପରେ ତାଙ୍କୁ ଶିଶୁପୁତ୍ର ସହିତ ଯେତେବେଳେ ଘରକୁ ନିଆଗଲା ସେହି ସମୟରେ ମଧ୍ୟ ଆଶା ଦିଦି ଙ୍କ ସହିତ କେତେକ ମହିଳା ତାଙ୍କୁ ଟେକି ଟେକି ନଦୀ ପାର କରାଇବା ସହିତ ନବଜାତ ଶିଶୁ ପୁତ୍ର ଟିକୁ ମଧ୍ୟ ଆଶା ଦିଦି କୋଳରେ କୋଳେଇ ନଦୀ ପାର ହୋଇ ଆଣୁଥିବା ଦେଖିବାକୁ ମିଳିଥିଲା । ନଦୀପାର କରାଇବା ପରେ ନବଜାତ ଶିଶୁ ପୁତ୍ର ଟିକୁ ଆଶା ଦିଦି କୋଳରେ ଧରି ପ୍ରସୂତି ମା କୁ ଖରାରେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଗହିର ବିଲରେ ଚଲାଇ ଚଲାଇ ନେଇଯିବାକୁ ପଡିଥିଲା । ଯାହା ଆମ ସରକାରୀ ବିଧି ବ୍ୟବସ୍ଥା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି ।
Also read:ରାସନକାର୍ଡକୁ ନେଇ ଗୃହରେ ଉଠିଲା ପ୍ରଶ୍ନ: ବାଦ ପଡିଛନ୍ତି ୮୪, ୭୫୭ ଅଯୋଗ୍ୟ ହିତାଧିକାରୀ