ଅଣ୍ଡା ପ୍ୟାକିଙ୍ଗ ଟ୍ରେ ଶିଳ୍ପ ତିଆରି କରି ସଫଳ ଯୁବଦ୍ୟୋଗୀ ବନିଯାଇଛନ୍ତି ଆଶିଶ, ମିଳୁଛି ଭଲ ଲାଭ

ଯୁବପିଢୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ସହ ଆମନିର୍ଭରଶୀଳ କରିବା ପାଇଁ ସରକାରୀ ସ୍ତରରେ କରାଯାଉଛି କାହିଁରୁ କେତେ ଯୋଜନା । ଏହି ଯୁବପିଢ଼ି ନିଜ ଅଞ୍ଚଳରେ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା କରି ନିଜେ ସଫଳ ଶିଳ୍ପଦ୍ୟୋଗୀ ହେବା ସହ ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଦେଇପାରୁଛନ୍ତି । ଏମିତି ଜଣେ ଯୁବକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ଯୁବ ଶିଳ୍ପଦ୍ୟୋଗୀ ଆଶିଶ ରଂଜନ ବାବୁ । ମହାନଦୀ ଏଗ ପ୍ୟାକିଙ୍ଗ ଟ୍ରେ ଶିଳ୍ପ ତିଆରି କରି ବନିଯାଇଛନ୍ତି ସଫଳ ଯୁବଦ୍ୟୋଗୀ ।
ଆଶିଶ ରଂଜନ ବାବୁ । ବୟସ ମାତ୍ର ୩୬ । ଜଣେ ସଫଳ ଯୁବ ଉଦ୍ୟୋଗୀ ଭାବେ ବେଶ ପରିଚିତ । ଯେଉଁଥିପାଇଁ ରାଜ୍ୟ ସରକାରଙ୍କ ମେକଇନ ଓଡିଶା କାର୍ଯ୍ୟକ୍ରମରେ ତାଙ୍କୁ ମିଳିଛି ସଫଳ ଯୁବ ଉଦ୍ୟୋଗୀ ପୁରସ୍କାର । ସାରା ରାଜ୍ୟର ୬୦ ଜଣ ଯୁବ ଉଦ୍ୟୋଗୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସେଥିରୁ ବାଦ ପଡିନାହାନ୍ତି ଆଶିଶ ରଂଜନ । ଓଡିଶା ସରକାରଙ୍କ ଉତ୍କର୍ସ ଓଡିଶା ମେକ୍ ଇନ ଓଡିଶା କନକ୍ଲେଭରେ ତାଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ । ସବୁବେଳେ କଠିନ ପରିଶ୍ରମ କରି କିଛି ଅର୍ଥ ରୋଜଗାର କରିବା ସହ ସାମାଜିକ ସ୍ତରରେ ଆର୍ଥିକ ଅନାଟନ ଭିତରେ ରହୁଥିବା ଗରିବ ଶ୍ରେଣୀର ପିଲାଙ୍କୁ ରୋଜଗାର ଯୋଗାଇ ଦେବା ହେଉଛି ତାଙ୍କର ମୂଳ ଲକ୍ଷ୍ୟ । ସେଥିପାଇଁ ସେ ତିନି ବର୍ଷ ତଳେ ଆରମ୍ଭ କରିଥିଲେ ଏକ କ୍ଷୁଦ୍ରଶିଳ୍ପ । ଯାହାର ନାଁ ରଖିଥିଲେ ମହାନଦୀ ଅଣ୍ଡା ପ୍ୟାକିଙ୍ଗ ଟ୍ରେ କାରଖାନା । ଡି.ଆଇ.ସି.ର ଆର୍ଥିକ ସହାୟତାରେ ଆରମ୍ଭ କରିଥିଲେ ଏଇ ଅଣ୍ଡା ପ୍ୟାକିଙ୍ଗ ଟ୍ରେ କାରଖାନା । ଅଦରକାରୀ ପେଟି, ଚିରା କାଗଜ, ବହି ସଂଗ୍ରହ କରି ସେଥିରୁ ବାହାର କରୁଛନ୍ତି ଅଣ୍ଡା ପ୍ୟାକିଙ୍ଗ ଟ୍ରେ । ଅର୍ଡର ମୁତାବକ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ପୋଲିଟ୍ରି ଫାର୍ମକୁ ଟ୍ରେ ପଠାଯାଉଥିବା ବେଳେ ଦିନକୁ ପ୍ରାୟ ପଚାଶ ହଜାର ଅର୍ଥାତ (୩୫୦ ବଣ୍ଡଲ) ତିଆରି କରାଯାଉଛି । ଏଥିରେ ୧ ଲକ୍ଷ ୪୦ ହଜାର ଟଙ୍କା ରୋଜଗାର ହେଉଛି । ଆଠଘଣ୍ଟା ସିଫ୍ଟ ରେ କାମ କରୁଛନ୍ତି ୪୦ ରୁ ଉର୍ଦ୍ଧ ଶ୍ରମିକ । ଏଭଳି ଏକ କୁଟୀର ଶିଳ୍ପରେ କାର୍ଯ୍ୟ କରିବା ସହ ବାହାର ରାଜ୍ୟକୁ ନଯାଇ ନିଜ ଅଞ୍ଚଳରେ ରୋଜଗାର ପାଉଥିବାରୁ ପରିବାର ଭରଣ ପୋଷଣ ସୁବିଧାରେ ହେଉଥିବା କହିଛନ୍ତି ଶ୍ରମିକ ।
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଜାମଦାଦର ଗାଁରେ ୪ ଏକର ଜମିରେ ଏହି କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା କରିଛନ୍ତି ଆଶିଶ । ପରିବାରର ସମସ୍ତଙ୍କ ସହଯୋଗରେ ଆଜି ଜଣେ ସଫଳ ଶିଳ୍ପଦ୍ୟୋଗୀ ହୋଇପାରିଥିବା ବେଳେ ସରକାରଙ୍କ ତରଫରୁ ଆର୍ଥିକ ପୋସାହନ ଯୋଗାଇଦେଲେ ସେ ଏହି ଶିଳ୍ପକୁ ବଡ ଧରଣର କରି ଶହଶହ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଦେଇପାରନ୍ତେ ବୋଲି କହିଛନ୍ତି । ସେପଟେ ନିଜ ଘର ପାଖରେ ଫ୍ୟାକ୍ଟ୍ରିରେ କାମ କରି ବେଶ ଦୁଇପଇସା ରୋଜଗାର କରୁଥିବାରୁ ଖୁସି ଅଛନ୍ତି କାର୍ଯ୍ୟରତ ଶ୍ରମିକ । ଜଣେ ସଫଳ ଉଦ୍ୟୋଗୀ ଭାବେ ଆଶିଶ ଆଗକୁ ଆହୁରି ସ୍ବପ୍ନ ଦେଖିଛନ୍ତି । ତାଙ୍କର ଏହି ଶିଳ୍ପ କୁଟୀର ଜରିଆରେ ଅନେକ ଲୋକ ନିଜ ପରିବାର ଚଳାଇ ପାରୁଛନ୍ତି ।