ଚାଷୀର ପରମ ବନ୍ଧୁ ଗେଣ୍ଡାଳିଆ ପକ୍ଷୀ, ଚାଷ ସମୟ ଆସିଲେ ଗଡପଳାସୁଣୀ ଗାଁକୁ ଆସନ୍ତି ଏହି ପକ୍ଷୀ

ବିରଳ ଗେଣ୍ଡାଳିଆ ପକ୍ଷୀ ହେଉଛନ୍ତି ଚାଷୀର ବନ୍ଧୁ । ବର୍ଷ ପରେ ବର୍ଷ ସାଇବେରିଆ ଅଞ୍ଚଳରୁ ହଜାର ହଜାର ଗେଣ୍ଡାଳିଆ ପକ୍ଷୀ ଆସୁଛନ୍ତି ଗଡ଼ପଳାଶୁଣି ଗାଁକୁ । ପକ୍ଷୀଙ୍କ ସୁରକ୍ଷା ଚିନ୍ତାରେ ଗ୍ରାମବାସୀ କାରଣ ଚାଷ ସମୟରେ ଆସି ଚାଷୀଙ୍କୁ ସାହାଯ୍ୟ କରନ୍ତି ଏହି ଗେଣ୍ଡାଳିଆ ପକ୍ଷୀ । ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଅଧୀନ ଗଡପଳାସୁଣୀ ଗାଁରେ ଏବେ ଗେଣ୍ଡାଳିଆ ପକ୍ଷୀଙ୍କ ଆଗମନ ହୋଇଛି । ଚାଷୀଙ୍କ ମିତ୍ର ଭାବେ ପରିଚିତ ଏହି ପକ୍ଷୀ । ଚାଷ ସମୟ ଆସିଲେ ଗାଁକୁ ହଜାର ହଜାର ସଂଖ୍ୟାରେ ଏହି ପକ୍ଷୀ ଆସନ୍ତି ଏହାକୁ ଦେଖି ଚାଷୀ ନିଜକୁ ଚାଷ କାମ ପାଇଁ ପ୍ରସ୍ତୁତ କରେ ।

କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣି ଗାଁ ମୁଣ୍ଡରେ ଆଉ ଗାଁ ଶିବ ମନ୍ଦିର ପାଖରେ ଥିବା ବିରାଟ ତେନ୍ତୁଳୀ ଓ ଆମ୍ବ ଗଛରେ ରୁହନ୍ତି ଏହି ପକ୍ଷୀ ମାନେ । ପ୍ରତିବର୍ଷ ପ୍ରାୟ ୧୦ହଜାରରୁ ଅଧିକ ଗେଣ୍ଡାଳିଆ ପକ୍ଷୀ ଆସିଥାନ୍ତି । ପକ୍ଷୀ ଗାଁକୁ ଆସିଲା ମାନେ ଗାଁର ଚାଷୀ ତଥା ଅଞ୍ଚଳବାସୀ ସେହି ବର୍ଷର ଚାଷ କାମ କରିବାକୁ ନିଜକୁ ପ୍ରସ୍ତୁତ କରିଦିଅନ୍ତି । କାହିଁ କେଉଁ କାଳରୁ ଗାଁକୁ ଆସୁଛନ୍ତି ଏହି ପକ୍ଷୀ ଏଠାରେ ନିଜର ଅଣ୍ଡା ଦେଇ ଛୁଆ ଫୁଟାଇଲା ପରେ ତାଙ୍କୁ ଉଡିବା ଶିଖାଇ ପୁଣି ସାଙ୍ଗରେ ନେଇକି ଫେରିଯାନ୍ତି ।

ଗାଁ ଲୋକମାନେ ମଧ୍ୟ ପକ୍ଷୀଙ୍କୁ ସୁରକ୍ଷା ଦେଇଥାନ୍ତି । ଯିଏ ଶିକାର କରେ ତାଙ୍କ ୪ରୁ ୫ ହଜାର ଯାଏଁ ଅର୍ଥ ଦଣ୍ଡ ମଧ୍ୟ ଦିଅନ୍ତି । ଏହି ଗାଁରେ କାହିଁ କେଉଁ କାଳରୁ ଏମିତି ଗେଣ୍ଡାଳିଆ ପକ୍ଷୀ ଓ ଗ୍ରାମବାସୀଙ୍କ ଭାବ ରହିଆସିଛି । ଜୁନ ମାସ ଆରମ୍ଭରୁ ଆସି ଦୀପାବଳି ପରେ ପୁଣି ନିଜ ଅଞ୍ଚଳକୁ ଫେରିଯାନ୍ତି ଏହି ଗେଣ୍ଡାଳିଆ ପକ୍ଷୀ । କେବଳ ଚାଷ ସମୟରେ ହିଁ ସେମାନେ ଗାଁରେ ରୁହନ୍ତି । ଏହି ପକ୍ଷୀ ପ୍ରକୃତରେ ଚାଷୀର ବନ୍ଧୁ କାରଣ ଏମାନେ ଜମିରେ ଥିବା ପୋକ ଜୋକ ଖାଇଦିଅନ୍ତି ଯାହାଦ୍ୱାରା ଭଲ ଫସଲ ହେଉଥିବାର ଲୋକମାନେ କହିଛନ୍ତି ।

ଲୋକେ କୁହନ୍ତି ଯେଉଁ ବର୍ଷ ଯେତେ ପରିମାଣରେ ପକ୍ଷୀ ଆସନ୍ତି ସେହି ବର୍ଷ ସେତିକି ଅଧିକ ବର୍ଷା ହୋଇଥାଏ । ଏଥିରୁ ଆପଣ ନିଶ୍ଚୟ ଅନୁମାନ କରିପାରୁଥିବେ ଗେଣ୍ଡାଳିଆ ପକ୍ଷୀ ଚାଷୀମାନଙ୍କର ପ୍ରକୃତ ବନ୍ଧୁ । ଏହି ବିରଳ ପକ୍ଷୀକୁ ଗଡ଼ପଳାଶୁଣି ଗାଁ ଲୋକମାନେ ସୁରକ୍ଷା ଦେଉଛନ୍ତି ଯାହାଦ୍ୱାରା ଆଜିର ଦିନରେ ମଣିଷ ଓ ପକ୍ଷୀଙ୍କ ଭିତରେ ଏକ ପ୍ରକାର ବନ୍ଧୁତା ସୃଷ୍ଟି ହୋଇଛି । ସେହିଭଳି ଅନ୍ୟ ଜାଗାରେ ରହୁଥିବା ପକ୍ଷୀଙ୍କୁ ଲୋକମାନେ ସୁରକ୍ଷା ଦେଲେ ଭଲ ହୁଅନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

ତେବେ ଏହି ଗେଣ୍ଡାଳିଆ ପକ୍ଷୀଙ୍କ ସୁରକ୍ଷା ପାଇଁ ଗ୍ରାମବାସୀଙ୍କ ସହିତ ବନ ବିଭାଗ ତରଫରୁ ମଧ୍ୟ ସମସ୍ତ ପ୍ରକାର ସହଯୋଗ ରହିଛି । ଚାଷୀ ଓ ପକ୍ଷୀଙ୍କ ମଧ୍ୟରେ ଏ ଗଭୀର ପ୍ରେମ ଆଜିର ଦିନରେ ଖୁବ ବିରଳ । ଏହି ଗେଣ୍ଡାଳିଆ ପକ୍ଷୀ ଲୋପ ପାଇବାକୁ ବସିଥିବା ବେଳେ ସବୁବେଳେ ପକ୍ଷୀଙ୍କ ସୁରକ୍ଷା ଚିନ୍ତାରେ ରହିଛନ୍ତି ଗ୍ରାମବାସୀ । ଯାହାକି ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବରେ ଏକ ପ୍ରେରଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.