ଦ୍ବିତୀୟ ଦିନ ବିଧାନସଭାରେ ହୁଲୁସ୍ତୁଲ ସ୍ଥିତି, ଆସନ୍ତାକାଲି ସକାଳ ୧୦.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ଗୃହରେ ହୁଲୁସ୍ତୁଲ ସ୍ଥିତି । ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ । ଧୋଇଗଲା ପ୍ରଶ୍ନକାଳ ଓ ଶୂନ୍ୟ କାଳ । ସକାଳ ୧୦ ଟା ୩୦ ରୁ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବାଚସ୍ପତିଙ୍କ ପୋଡ଼ିଅମ ନିକଟକୁ ଆସି ନାରା ବାଜି ଆରମ୍ଭ କରି ଦେଇଥିଲେ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ।
ଅପରାହ୍ନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ ବି ଜାରି ରହିଲା ହଟ୍ଟଗୋଳ । ଏପରିକି ବିଜେଡ଼ି ବିଧାୟକ ଧ୍ରୁବ ସାହୁ ବାଚସ୍ପତିଙ୍କ ମାଇକ ଭାଙ୍ଗି ଦେଇଥିବା ବେଳେ ବିଧାୟକ ଯୋଗେଶ ସିଂ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ି ଯାଇଥିଲେ । ଯେଉଁଥିପାଇଁ ପ୍ରଥମେ ୧୧.୩୦ ଯାଏଁ, ତାପରେ ଅପରାହ୍ନ ୪ ଟା ଏବଂ ଶେଷରେ ଆସନ୍ତାକାଲି ସକାଳ ୧୦.୩୦ ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି ।
ସେପଟେ ବିରୋଧୀ ଦଳ ନେତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବାଧା ସୃଷ୍ଟି କରିବା ଦଣ୍ଡନୀୟ ଅପରାଧ ଏବଂ ଅସାମ୍ବିଧାନିକ । ତେଣୁ ବିରୋଧୀ ଦଳ ନେତାଙ୍କୁ ଗିରଫ କରିବାକୁ ମୁଁ ଦାବି କରୁଛି ବୋଲି କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ।