ସରିଲା ପ୍ରଥମ ପର୍ଯ୍ୟାୟ ବିଧାନସଭା ବଜେଟ୍ ଅଧିବେଶନ, ଅଗଷ୍ଟ ୨୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ସରିଲା ପ୍ରଥମ ପର୍ଯ୍ୟାୟ ବିଧାନସଭା ବଜେଟ୍ ଅଧିବେଶନ । ଅଗଷ୍ଟ ୨୦ ତାରିଖ ଯାଏଁ ଗୃହ ମୁଲତବୀ ରଖାଯାଇଛି। ବିଧାନସଭାରେ ୯୫ ହଜାର କୋଟି ଲେଖାନୁଦାନ ପାରିତ ହେବା ପରେ ଆସନ୍ତା ଅଗଷ୍ଟ ୨୦ ତାରିଖ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ସେହିପରି ୨୦ରୁ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ।
ତେବେ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନର ଶେଷ ଦିନରେ ଅନେକ ନାଟକ ଗୃହ ମଧ୍ୟରେ ଦେଖିବାକୁ ମିଳିଥିଲା । ବିରୋଧୀ ବିଜେଡିକୁ ଶାସକ ବିଜେପି ଲେଖାନୁଦାନ ସମୟରେ କଡ଼ା ଜବାବ୍ ଦେବା ଏବଂ ଶୂନ୍ୟକାଳରେ ନିଲମ୍ବିତ ଆଇପିଏସ ରାଜେଶଙ୍କ ପ୍ରସଙ୍ଗ ଉଠାଇ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ରାଜ୍ୟ ବଜେଟ୍ ଉପସ୍ଥାପିତ ହେବା ସହ ବିରୋଧୀଙ୍କ ହଟ୍ଟଗୋଳଠୁ ଆରମ୍ଭ କରି ଅନେକ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା ।
ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ବେଳେ ଗୃହ ବେଶ୍ ସରଗରମ୍ ଥିଲା । ରାଜ୍ଯପାଳଙ୍କ ଅଭିଭାଷଣରୁ ବିରୋଧୀ ଆକ୍ରମଣ ଜୋରଦାର୍ ଥିଲା । ରାଜ୍ଯପାଳଙ୍କ ପୁଅ ଏଏସ୍ଓ ଅଧିକାରୀଙ୍କୁ ଆକ୍ରମଣ ଘଟନାକୁ ନେଇ ଗୃହ ହୁଲସ୍ତୁଲ ହୋଇଥିଲା । ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ବିଭ୍ରାଟ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଅର୍ଥମନ୍ତ୍ରୀ ଦାୟୀତ୍ୱ ରେ ଥିବା ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ ବଜେଟ୍ ଉପସ୍ଥାପନା କରିଥିଲେ । ବଜେଟ୍ କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ଯ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଗେମ୍ ଚେଞ୍ଜର ନୂହେଁ ନେମ ଚେଞ୍ଜର ବଜେଟ୍ ବୋଲି କହିଥିଲେ। ସେପଟେ କଂଗ୍ରେସ ମଧ୍ଯ ନେଇ ଗୃହ ଭିତରେ ରାଜ୍ଯ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ । ଅଗ୍ନିବୀରଙ୍କୁ ସଂରକ୍ଷଣ ଘୋଷଣା ବାହାରେ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ସ୍ଵାଧୀକର ନୋଟିସ ଆଣି ଗୃହରେ ହଙ୍ଗାମା କରିଥିଲା । ସେପଟେ ରାଜ୍ଯ ସରକାର ଓଡ଼ିଆ ଅସ୍ମିତାକୁ ନେଇ ଟାର୍ଗେଟ କରିଥିଲେ ବିରୋଧୀ ।