ଆସନ୍ତା ୨୨ରୁ ବିଧାନସଭାର ପ୍ରଥମ ଅଧିବେଶନ, ୨୫ରେ ହେବ ଗୃହରେ ବଜେଟ୍ ଉପସ୍ଥାପନ
ଭୁବନେଶ୍ୱର : ଆସନ୍ତା ୨୨ ତାରିଖରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ୨୪ରେ ଉପ ବାଚସ୍ପତି ପାଇଁ ନିର୍ବାଚନ ହେବ । ୨୫ରେ ଗୃହରେ ବଜେଟ୍ ଉପସ୍ଥାପନ ହେବ । ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ନୂଆ ସରକାରଙ୍କର ଏହା ହେବ ପ୍ରଥମ ବଜେଟ। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିବେ।
ପୂର୍ବ ସରକାର ୪ ମାସିଆ କାମଚଳା ବଜେଟ ଆଣିଥିଲେ। ଜୁଲାଇ ୩୧ରେ ଏହାର ଅବଧି ଶେଷ ହେଉଛି । ଯେହେତୁ ପୂର୍ଣ୍ଣାଙ୍ଗ ବଜେଟ ପାରିତ ହେବାକୁ ବିଳମ୍ବ ହେବ, ତେଣୁ ଜୁଲାଇ ୩୦ରେ ଲେଖାନୁଦାନ ପ୍ରସ୍ତାବ ଆସିବା ସହ ଜୁଲାଇ ୩୧ରେ ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ ହେବ । ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୨୨ ତାରିଖ ବିଧାନସଭା ଆରମ୍ଭରେ ଅଭିଭାଷଣ ପ୍ରଦାନ କରିବେ ରାଜ୍ୟପାଳ। ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆସିବ । ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଚାଲିବ । ଏଥିରେ ମୋଟ ୨୭ଟି କାର୍ଯ୍ୟ ଦିବସ ରହିଛି ।