ପୁରୀ : ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ଆଲୋଚନା । ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ଶ୍ରୀମନ୍ଦିର ସୁରକ୍ଷା ପାଇଁ ଅଧିକ ସଂଖ୍ୟକ ଜେଟିପି ନିୟୋଜିତ ସହ ସ୍ୱତନ୍ତ୍ର ବାଟାଲିୟନ ଫୋର୍ସ ନିୟୋଜିତ ଓ ଡ୍ରୋନ୍ ଉଡାଣ ଉପରେ କମିଟି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ଭିତର ଓ ବାହାର ଷ୍ଟ୍ରକଚରର ସୁରକ୍ଷା ପାଇଁ ଏଏସଆଇ କାର୍ଯ୍ୟକୁ ବୈଠକରେ ପ୍ରଶଂସା କରାଯାଇଛି ।
ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଶୃଙ୍ଖଳିତ ହେବ ଓ ଭକ୍ତଙ୍କ ସହଜ ଓ ସୁବିଧା ଦର୍ଶନ ଉପରେ ମଧ୍ୟ କମିଟିରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି କମିଟି ସଦସ୍ୟ ତଥା କଂଗ୍ରେସ ବିଧାୟକ ତାରା ବାହିନିପତି । ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଦିନକୁ ଦିନ ଖରାର ପ୍ରକୋପକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେଡ୍ ଓ କାରପେଟ୍ ବ୍ୟବସ୍ଥା ଆରମ୍ଭ ହୋଇଛି l ଭକ୍ତଙ୍କ ଲାଗି ବ୍ୟାପକ ସୁବିଧା କରିବାକୁ କହିଛନ୍ତି ପୁରୀ ବିଧାୟକ ସୁନୀଲ ମହାନ୍ତି ।