ଆଜି ବିଧାନସଭା ହେବ ହୁଲସ୍ତୁଲ, ଗୃହରେ ତମ୍ବିତୋଫାନ କରିପାରନ୍ତି ବିରୋଧୀ

ଭୁବନେଶ୍ୱର : ଆଜି ବିଧାନସଭା ହେବ ହୁଲସ୍ତୁଲ । ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ଗୃହରେ ତମ୍ବିତୋଫାନ କରିପାରନ୍ତି ବିରୋଧୀ । ଉତ୍କଳ, କୋଶଳ, କଳିଙ୍ଗ ମିଶି ଓଡ଼ିଶା ପ୍ରଦେଶ ଗଠନ ହୋଇଥିବା ବେଳେ କେବଳ ଉତ୍କଳର ଜୟଗାନ କାହିଁକି ହେବ ବୋଲି ପ୍ରଶ୍ନ କରିଥିଲେ ଜୟନାରାୟଣ । ଓଡ଼ିଶା କହିଲେ କେବଳ କଟକ, ପୁରୀ, ବାଲେଶ୍ବର ବୋଲି କହିଛନ୍ତି ସମ୍ବଲପୁର ବିଧାୟକ।
ସମ୍ବଲପୁରବାସୀ ଏହା ଜାଣି ରଖିବା ଉଚିତ। ଓଡ଼ିଶାରେ ମିଶିବା ଐତିହାସିକ ଭୁଲ ଥିଲା । ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଥିଲେ । ଏହାକୁ ନେଇ ଚାରିଆଡୁ ଜୟନାରାୟଣ ମିଶ୍ରଙ୍କ ବୟାନକୁ ସମାଲୋଚନା କରାଯାଇଛି। ବୟାନକୁ ନେଇ ଘେରିଛନ୍ତି ବିରୋଧୀ ଦଳ। ଜୟନାରାୟଣ ମିଶ୍ରଙ୍କ ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ।
ଏହି ମନ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀ ଓ ବିଜେପି ଦଳ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛି ବିଜେଡି। ବିଜେପି ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଥିଲା। ଜୟନାରାୟଣଙ୍କ ବୟାନ କଣ ଓଡ଼ିଆ ଅସ୍ମିତା କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ । ସେହପିରି ଆଜ ବିଧାନସଭାରେ ବିଜୁ ବାବୁଙ୍କ ଅସମ୍ମାନ ପ୍ରସଙ୍ଗ ଉଠାଇ ହୋହଲ୍ଲା କରିପାରେ ବିଜେଡି ।
ଦୁଇ ଦିନର ବିରତି ପରେ ପୁଣି ସରଗରଣ ରହିବ ବିଧାନସଭା ବଜେଟ୍ ଅଧିବେଶନର ୨ୟ ପର୍ଯ୍ୟାୟ । ସୋମବାର ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି ।
୩୦ ବର୍ଷ ଧରି ବିଜୁବାବୁଙ୍କ ଜନ୍ମଦିନରେ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା । ଏଥର ମାର୍ଚ୍ଚ ୫ ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ନକରି ଏହାକୁ ବଦଳାଇବା ପଛରେ ହୀନ ରାଜନୀତି ରହିଛି ବୋଲି ବିଜେଡି ଅଭିଯୋଗ କରିଛି । ସେହିପରି ନାରୀ ନିର୍ଯାତନା ବୃଦ୍ଧିକୁ ପ୍ରସଙ୍ଗ କରିଛି କଂଗ୍ରେସ । ଏହିକୁ ନେଇ ଦଳ ରାଜରାସ୍ତାକୁ ଓହ୍ଲାଉଥିବା ବେଳେ ବିଧାନସଭାରେ କଂଗ୍ରେସ ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇ ହୋହଲ୍ଲା କରିପାରନ୍ତି ।
Also read: ସରିଲା ପ୍ରଥମ ପର୍ଯ୍ୟାୟ ବିଧାନସଭା ବଜେଟ୍ ଅଧିବେଶନ, ଅଗଷ୍ଟ ୨୦ ଯାଏଁ ଗୃହ ମୁଲତବୀ