ଆଜି ପୁଣି ସରଗରମ ରହିବ ବିଧାନସଭା: ଉଠିପାରେ ଏଏସ୍ଓ ଅଧିକାରୀଙ୍କୁ ମାଡ଼ ମାରିବା ପ୍ରସଙ୍ଗ

ଭୁବନେଶ୍ୱର : ଆଜି ବିଧାନସଭାରେ ପୁଣି ଉଠିପାରେ ଏଏସ୍ଓ ଅଧିକାରୀଙ୍କୁ ମାଡ଼ ମାରିବା ପ୍ରସଙ୍ଗ । ଗତକାଲି ରାଜ୍ଯପାଳଙ୍କ ଅଭିଭାଷଣ ଆରମ୍ଭ ହେବା ମାତ୍ରେ ଏ ପ୍ରସଙ୍ଗ ଉଠାଇ ବିରୋଧୀ ପ୍ରତିବାଦ କରିଥିଲେ। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ନାରାବାଜି କରିଥିଲେ । ବିଜେପିର ‘ଓଡ଼ିଆ ଅସ୍ମିତା’ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ। ୨/୩ ମିନିଟ୍ ଭିତରେ ରାଜ୍ୟପାଳଙ୍କ ଭାଷଣକୁ ବର୍ଜନ କରି ଉଭୟ ବିଜେଡି ଓ କଂଗ୍ରେସ ସଭ୍ୟ କକ୍ଷତ୍ୟାଗ କରିଥିଲେ ।

ତେବେ ଗୃହ ବାହାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଥିଲେ, ମୁଁ ଓ ମୋ ଦଳ ଦୁଃଖିତ। ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଲେ। କିନ୍ତୁ ବର୍ତ୍ତମାନର ରାଜ୍ୟ ସରକାର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଏହା ମୋତେ ଆଘାତ ଦେଇଛି। ରାଜ୍ୟରେ ଆଇନଶୃଙ୍ଖଳା ଭାଙ୍ଗି ଯାଇଛି। ମୁଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିଧାୟକ, ମନ୍ତ୍ରୀ କି ସରକାରୀ ଅଧିକାରୀ ଯିଏ ବି ଆଇନ ଭାଙ୍ଗୁଥିଲେ, ମୁଁ କାର୍ଯ୍ୟାନୁଷ୍ଠାନ ନେଉଥିଲି। ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଆମେ ଗୃହ ପରିତ୍ୟାଗ କଲୁ।

ଏହା ସହ ଉପ ବାଚସ୍ପତି ନିର୍ବାଚନ ନେଇ ବିଧାନସଭାରେ ବିଧିବଦ୍ଧ ଘୋଷଣା ହେବ। ଶାସକ ଦଳ କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବଡସାହି ବିଧାୟକ ସନାତନ ବିଜୁଳି, ଉଦଳା ବିଧାୟକ ଭାସ୍କର ମଡେଇକୁ ନେଇ ଚର୍ଚ୍ଚା ହେଉଛି। ଏହାପରେ ୨୫ ତାରିଖରେ ଉପସ୍ଥାପିତ ହେବ ପୂର୍ଣ୍ଣ ବଜେଟ୍ ।

 

You might also like