ଗିରଫ ହେଲେ କୋଟିପତି ସହକାରୀ ଯନ୍ତ୍ରୀ, ଢେଙ୍କାନାଳ ଓ ଭୁବନେଶ୍ବରରେ ରହିଛି ୨୮ଟି ପ୍ଲଟ୍

(କେନ୍ୟୁଜ): କୁବେର ଯନ୍ତ୍ରୀ ଗିରଫ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ସବଡିଭିଜନ ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀ ଗିରଫ । ଏହାପରେ ତାଙ୍କୁ ଭିଜିଲାନ୍‌ସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି । ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀ ଆୟଠାରୁ ୩୩୩ ପ୍ରତିଶତ ଅଧିକ ସଂପତ୍ତି କମାଇଛନ୍ତି । ଏସଂକ୍ରାନ୍ତରେ କଟକ ଭିଜିଲାନ୍‌ସରେ ଏକ ମାମଲା ରୁଜୁ ହୋଇଛି । ଦୁଷ୍ମନ୍ତଙ୍କ ଅଫିସ, ଘର ସମେତ ଗତକାଲି ୭ଟି ସ୍ଥାନରେ ଭିଜିଲାନ୍‌ସ ପକ୍ଷରୁ ଚଢ଼ାଉ ହୋଇଥିଲା । ତାଙ୍କର ମୋଟ୍‌ ସ୍ଥାବର ଓ ଅସ୍ଥାବର ସଂପତ୍ତି ୩କୋଟି ୫୪ ଲକ୍ଷ ଟଙ୍କା ।

ଏହା ଭିତରେ ରହିଛି ୨୮ଟି ପ୍ଲଟ୍‌ । ଭୁବନେଶ୍ୱରରେ ୭ଟି ଓ ଢେଙ୍କାନାଳରେ ୨୧ଟି ପ୍ଲଟ୍‌ ଅଛି । ଯାହାର ମୂଲ୍ୟ ୧ କୋଟି ୪୫ ଲକ୍ଷ ଟଙ୍କା ହେବ । ୪୭ ଲକ୍ଷ ୬୫ ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ୍‌ ଓ ବୀମା ରହିଛି । ଘରୁ ଚଢ଼ାଉ ବେଳେ ମିଳିଛି ନଗଦ ୧ ଲକ୍ଷ ୬୨ ହଜାର ଟଙ୍କା । ଦୁଷ୍ମନ୍ତ ଦେହୁରୀଙ୍କର ବିଭିନ୍ନ ସ୍ଥାନରେ ଘର ରହିଛି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅଛି ତିନି ମହଲା କୋଠା । ଯାହାର ଦାମ୍‌ ୯୨ ଲକ୍ଷ ଟଙ୍କା ହେବ । ସେହିପରି ଢେଙ୍କାନାଳ ଟାଉନରେ ୨୦ ଲକ୍ଷରୁ ଅଧିକ ଟଙ୍କାର ଦୁଇଟି ଦୁଇ ମହଲା ବିଲଡିଂ ଅଛି । ଢେଙ୍କାନାଳ ମୋଟଙ୍ଗା ଗୁଣଦେଇରେ ଅଛି ଘର । ତାଙ୍କର ୨ଟି ମୋଟର ସାଇକେଲ ଓ କାର ବି ଅଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.