ପଶ୍ଚିମ ଓଡ଼ିଶାରେ ଭୟଙ୍କର ତାତି, ସକାଳ ସାଢ଼େ ୮ଟାରେ ଭବାନୀପାଟଣାରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ଭୟଙ୍କର ତାତି । ସକାଳୁ ସକାଳୁ ଭୁବନେଶ୍ୱରରେ ତାତି, ଗରମ ଓ ଗୁଳୁଗୁଳି ଅନୁଭୁତ ହେଉଛି । ପଶ୍ଚିମରେ ଅସହ୍ୟ ତାତିକୁ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଗତ କିଛି ଦିନ ଧରି ଥଣ୍ଡା ଓ କୋହଲା ପାଗ ପରେ ତାତି ବୃଦ୍ଧି ପାଇଛି। ଆଜି ସକାଳ ସାଢ଼େ ୮ଟାରେ ୩୯ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ଟିଟିଲାଗଡ଼ରେ ୩୮ ଡିଗ୍ରୀ , ବଲାଙ୍ଗିରରେ ୩୭.୪ ଡିଗ୍ରୀ , ସୋନପୁର ଓ ଝାରସୁଗୁଡ଼ାରେ ୩୬.୬ଡିଗ୍ରୀ, ହୀରାକୁଦରେ ୩୬.୪ ଡିଗ୍ରୀ, ସମ୍ବଲପୁରରେ ୩୬.୨ଡିଗ୍ରୀ ଓ ବୌଦ୍ଧରେ ୩୬ ଡିଗ୍ରୀ ରେକର୍ଡ କରାଯଇଛି ।

ସୂଚନା ଅନୁସାରେ ଭୋର ୫ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଥିଲା । ଗରମ ସାଙ୍ଗକୁ ଗୁଳୁଗୁଳି କରୁଛି କଲବଲ । ଆର୍ଦ୍ରତା ୮୭ ପ୍ରତିଶତ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ଦୁଇ ଦିନ ଭିତରେ ତାପମାତ୍ରା ୨ରୁ ୩ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ବୁଧବାର ୪ଟି ସହରରେ ତାପମାତ୍ରା ୪୬ ଡିଗ୍ରୀ ଟପିଥିଲା। ବଲାଙ୍ଗୀରରେ ୪୬.୩, ସୋନପୁର ୪୬.୨, ଟିଟଲାଗଡ ଓ ଝାରସୁଗୁଡାରେ ୪୬ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ସେପଟେ ଆଜି ସିଭିୟର ହିଟ୍ ଓ୍ବେଭ୍ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।