ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍, କାନ୍ଦି କାନ୍ଦି ବେହାଲ ମହିଳା

ଖୁବ ହତାଶ ଏ ମହିଳା ଜଣଙ୍କ । କହୁ କହୁ କାନ୍ଦି ପକାଉଛନ୍ତି । କାନ୍ଦି କାନ୍ଦି ବେହାଲ ହୋଇଗଲେଣି । କେମିତି ବା ହେବେନି ଘରେ ଯାହା ସବୁ ସାଇତି ରଖିଥିଲେ ସବୁତକ ନେଇ ଫେରାର ମାରିଛନ୍ତି ଲୁଟେରା । କ୍ଷଣିକ ମୂହୁର୍ତ୍ତରେ ଏ କଣ ସବୁ ଘଟିଗଲା । ଘରେ ଆଉ ଜିନିଷ ପତ୍ର କିଛି ନାହିଁ ଯୁଆଡେ ଦେଖିବ ସବୁ ଖାଲି । ଘରର ଚିତ୍ର ଦେଖିଲେ ମନକୁ କେବଳ ଗୋଟିଏ ଭାବନା ଆସୁଛି ଭାଗ୍ୟ ଆଉ ସମୟ ଖରାପ ଚାଲିଥିଲେ ବୋଧେ ଏମିତି ହୁଏ । ହିନ୍ଦୋଳ ବ୍ଲକ ବାଲିମି ଥାନା ଦୁଦୁରୁକୋଟ ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ।
ବିଳମ୍ୱିତ ରାତିରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ରାତି ଅଧରେ ଘରେ କେହି ନଥିବାର ସୁଯୋଗ ନେଇ ଘରର ତାଲା ଭାଙ୍ଗି ପଶିଥିଲେ ଲୁଟେରା । ଯାହାପରେ ଘରେ ବୁଲାଇଦେଇଥିଲେ କଳାକନା । ଏପରିକି ବାସନ କୁସନ ବି ଛାଡ଼ିନାହାନ୍ତି ଏ ଦୁର୍ବୃତ୍ତ । ଘରେ ଥିବା ଟିଭି, ସୋଲାର ସିଷ୍ଟମ, ପାଣି ପମ୍ପ ସମେତ ଘରର ସମସ୍ତ ସାମଗ୍ରୀ ନେଇ ଚମ୍ପଟ୍ ମାରିଥିଲେ । ଚରଣ ବେହେରାଙ୍କ ବଡପୁଅ କିଛି ମାସ ପୂର୍ବରୁ ବିବାହ କରିଥିଲେ । ନୂଆ ଘରେ ବୋହୁର ସମସ୍ତ ଆସବାବପତ୍ର ମଧ୍ୟ ରଖିଥିଲେ ।
ପୁଅ ବାହାର ରାଜ୍ୟରେ କାମ କରୁଥିବାରୁ ସେ ଚାଲି ଯାଇଥିଲେ । ସେପଟେ ବୋହୁ ବାପା ଘରକୁ ବୁଲିବାକୁ ଯାଇଛନ୍ତି । ଅନ୍ୟପଟେ ଚରଣଙ୍କ ଦେହ ଖରାପ ଥିବାରୁ ସେ ପୁରୁଣା ଘରେ ସୋଇଥିଲେ ଏହାର ସୁଯୋଗ ନେଇଥିଲେ ଲୁଟେରା । ଆଉ ତାଲା ଭାଙ୍ଗି ଲୁଟିନେଇଥିଲେ ଘରର ସବୁ ସମ୍ପତ୍ତି । ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଗତ କିଛି ଦିନ ହେବ ହିନ୍ଦୋଳରେ ମାତିଛନ୍ତି ଲୁଟେରା । ଯେତେ ଚେଷ୍ଟା କଲେ ବି ପୋଲିସ୍ ଆଖିରେ ଧୂଳି ଦେଇ ବେଧଡ଼କ ଲୁଟି ଚାଲିଛନ୍ତି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଅନ୍ୟପଟେ ଘଟଣାସ୍ଥଳରେ ବାଲିମି ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।
Also read: ଜାଗର ପାଇଁ ଝିଅ ଘରକୁ ଯାଇଥିଲେ ମା’, ଘରେ କେହି ନ ଥିବାର ସୁଯୋଗ ନେଇ କଳାକନା ବୁଲାଇଦେଲେ ଚୋର