ଆଜି ବାଜପେୟୀଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ (କେ ନ୍ୟୁଜ୍) : ଅଟଳଙ୍କୁ ଅଶ୍ରୁଳ ବିଦାୟ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଅଶ୍ରୁଳ ବିଦାୟ ଦେଉଛି ସାରା ଦେଶ । ତାଙ୍କ ଦିଲ୍ଲୀସ୍ଥିତ ବାସଭବରେ ଶେଷ ଦର୍ଶନ କରୁଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ସକାଳ ୯ଟାରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବ ବିଜେପି ଦଳୀୟ କାର୍ୟ୍ୟାଳୟରେ । ସେଠାରେ ଦଳୀୟ କର୍ମକର୍ତ୍ତା ଅନ୍ତିମ ଦର୍ଶନ କରିବା ପରେ ଦିନ ଗୋଟାଏରୁ ଶେଷ ଶୋଭଯାତ୍ରା ବାହାରିବ । ଅପରାହ୍ଣ ୪ଟାରେ ଶେଷକୃତ୍ୟ ସଂପନ୍ନ ହେବ । ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ବାଜପେୟୀଙ୍କ ଶେଷକୃତ୍ୟ ସଂପନ୍ନ ହେବ । ଗତକାଲି ରାତିରୁ ତାଙ୍କ ବାସଭବନରେ ଚାଲିଛି ଅନ୍ତିମ ଦର୍ଶନ । ରାଜନେତାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଅନ୍ତିମ ଦର୍ଶନ କରୁଛନ୍ତି । ଗତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ, ସୁଷମା ସ୍ୱରାଜ ପ୍ରମୁଖ ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଦଳମତ ନିର୍ବିଶେଷରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜନେତା । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ସୋନିଆ ଗାନ୍ଧୀ ପ୍ରମୁଖ ତାଙ୍କ ବାସ ଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ରାଜନେତାଙ୍କ ଛଡା ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ପହଞ୍ଚି ବାଜପେୟୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରୁଛନ୍ତି । ବାଜପେୟୀଙ୍କ ପରଲୋକରେ ସାରା ଦେଶ ମ୍ରିୟମାଣ ହୋଇପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଶୂନ୍ୟସ୍ଥାନ ଅପୂରଣୀୟ ହୋଇ ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଜଣେ ବଡ଼ ନେତାଙ୍କୁ ହରାଇଛି ଦେଶ । ଗତକାଲି ୯୩ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ଘଟିଥିଲା ।