ଲାଇଫ୍ ସପୋର୍ଟ ସିଷ୍ଟମରେ ଅଟଳ

ନୂଆଦିଲ୍ଲୀ (କେ ନ୍ୟୁଜ୍) : ସୁଧୁରୁନି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା । ଏବେବି ସଂକଟାପନ୍ନ ରହିଛି । ଗତ ୩୬ ଘଣ୍ଟା ଭିତରେ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇନାହିଁ । ଏମ୍ସ ମେଡିକାଲ କର୍ତ୍ତୃପକ୍ଷ ଜାରି କରିଥିବା ନୂଆ ବୁଲେଟିନରେ ଏହି ସୂଚନା ଦିଆଯାଇଛି । ବାଜପେୟୀ ଲାଇଫ୍ ସପୋର୍ଟ ସିଷ୍ଟମରେ ଅଛନ୍ତି । ଗତକାଲି ଦିଲ୍ଲୀ ଏମସରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ସୁଷମା ସ୍ୱରାଜଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଏମ୍ସ ଯାଇ ବାଜପେୟୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ସେହିପରି ବହୁ ମାନ୍ୟଗଣ୍ୟ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ଼ି ଏମ୍ସରେ ଲାଗିଛି । ଏମସ ନିର୍ଦ୍ଦେଶକ ରଣବୀର ଗୁଲେରିଆଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଲଗାତାର ଭାବରେ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ଅସୁସ୍ଥତା କାରଣରୁ ୯୩ ବର୍ଷୀୟ ବାଜପେୟୀଙ୍କୁ ଗତ ଜୁନ୍ ୧୧ ତାରିଖରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଡିମେନସିଆ ସମେତ ବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି ବାଜପେୟୀ । ୨୦୦୯ ମସିହାରୁ ଦୀର୍ଘ ୯ ବର୍ଷ ହେବ ସେ ଅସୁସ୍ଥ ଅଛନ୍ତି ।