ଭୁବନେଶ୍ୱର : OAS ବାବୁ ଗିରଫ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ ଗିରଫ । ତାଙ୍କୁ ଭିଜିଲାନ୍ସ ଅଧିକାରୀ ଗିରଫ କରିଛନ୍ତି । ଆୟଠୁ ଅଧିକ ସଂପତ୍ତି ଠୁଳ ନେଇ ପ୍ରଦୀପଙ୍କ ବିରୋଧରେ ମାମଲା ରଜୁ ହୋଇଛି । ତାଙ୍କର ଦୁଇଟି କୋଠା, ଭୁବନେଶ୍ବରେ ଏକ ଫ୍ଲାଟ ଓ ୩ଟି ପ୍ଲଟ ଠାବ ହୋଇଛି ।
ସେହିପରି ତାଙ୍କର ୪୭ ଲକ୍ଷ ଟଙ୍କାର ଜମାରାଶି ଥିବା ଜଣାଯାଇଛି । ଭିଜିଲାନ୍ସ ଚଢ଼ାଉ ବେଳେ ନଗଦ ୬ ଲକ୍ଷ ୧୧ ହଜାର ଟଙ୍କା ଓ ୪୫୨ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି । ସେହିପରି ତାଙ୍କର ଦୁଇଟି କାର ଥିବା ଜଣାଯାଇଛି । ତେବେ ଏହି ସଂପତ୍ତି ବାବଦରେ ବିଡିଓ ପ୍ରଦୀପ କୁମାର ସାହୁ କୌଣସି ହିସାବ ଦେଇପାରିନାହାନ୍ତି । ଗତକାଲି ଭିଜିଲାନ୍ସ ଟିମ ଭୁବନେଶ୍ୱର, ଖୋର୍ଦ୍ଧା,ନୟାଗଡ଼, ଆଠଗଡ଼ରେ ଏକକାଳୀନ ୮ ଟି ସ୍ଥାନରେ ଚଢ଼ାଉ କରିଥିଲା। ଖୋର୍ଦ୍ଧାର ଭାଲିବାଡ଼ି ଓ ନୟାଗଡ଼ର ସୁନାଖଳାରେ ପ୍ରଦୀପଙ୍କର କୋଠା ଘର ରହିଛି ।
ଭୁବନେଶ୍ବର ଗୌତମ ନଗରରେ ବିଡିଓ ପ୍ରଦୀପ ସାହୁଙ୍କର ରହିଛି ଫ୍ଲାଟ । ସେହିପରି ଖୋର୍ଦ୍ଧା ଓ ରାଜସୁନାଖଳାରେ ତାଙ୍କର ୩ ପ୍ଲଟ ଥିବା ଜଣାଯାଇଛି । ଚଢ଼ାଉରେ ସାମିଲ ଥିଲେ ୬ ଡିଏସପି, ୬ ଇନିସ୍ପେକ୍ଟର, ୧୦ ଏଏସଆଇଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଏହି ଚଢ଼ାଉ ହୋଇଥିଲା ।