ଟଙ୍କା ଲୁଟିଲେ ଏଟିଏମରେ ଟଙ୍କା ଭରୁଥିବା କର୍ମଚାରୀ, ୧୦ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ଜେଲ ଗଲେ ୫ ଅଭିଯୁକ୍ତ

କଳାହାଣ୍ଡି : ଏଟିଏମ ଟଙ୍କା ଲୁଟିଲେ ଏଟିଏମରେ ଟଙ୍କା ଭରୁଥିବା ସଂସ୍ଥାର କର୍ମଚାରୀ । ୧୦ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ଜେଲ ଗଲେ ୫ ଅଭିଯୁକ୍ତ । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର ସିକ୍ୟୋର୍ ଭେଲ୍ୟୁ ଇଣ୍ଡିଆ ଲିମିଟେଡର ୫କର୍ମଚାରୀ ଜେଲ ଯାଇଛନ୍ତି । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଚୁକ୍ତି କରିଛି ସିକ୍ୟୋର୍ ଭେଲ୍ୟୁ ଇଣ୍ଡିଆ ଲିମିଟେଡ ।

ଜାନୁୟାରୀ ୧୮ ତାରିଖ ରାତି ସାଢେ ୧୨ଟାରେ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ଡେପୁଟି ମ୍ୟାନେଜରଙ୍କ ଠାରୁ ୪ କୋଟି ୮୦ ଲକ୍ଷ ଟଙ୍କା ଜମା କରିବାକୁ ଟଙ୍କା ନେଇଥିଲେ । ଟଙ୍କା ଭର୍ତ୍ତି ବାକ୍ସର ଚାବି ଥିଲା ଜମାକାରୀ ସଂସ୍ଥାର ଲକ୍ଷ୍ମୀକାନ୍ତ ରାଣାଙ୍କ ପାଖରେ ରହିଥିଲା ।

ପୂର୍ବ ଯୋଜନା ଅନୁଯାୟୀ ବିଭିନ୍ନ ଏଟିଏମରେ ଟଙ୍କା ଭର୍ତ୍ତି କରିବା ପରେ ଅଭିଯୁକ୍ତମାନେ ୧୦ ଲକ୍ଷ ଟଙ୍କା ଚୋରି କରି ସହଯୋଗୀ ଜିତୁ ଲହଜାଲଙ୍କ ପାଖରେ ରଖିଥିଲେ ।  ତେବେ ଏଟିଏମରେ ଟଙ୍କା ଜମା କରିବା ପାଇଁ ୧୦ଲକ୍ଷ ଟଙ୍କା କମ ରହିବାରୁ ବ୍ୟାଙ୍କ ମ୍ୟାନେଜର ଭବାନୀପାଟଣା ଟାଉନଥାନାରେ ଏତଲା ଦେଇଥିଲେ । ପୋଲିସ ପଚରାଉଚରାରେ ଲକ୍ଷ୍ମୀକାନ୍ତ ରାଣା ଡ୍ରାଇଭର ଓ ଏଟିଏମ ସୁରକ୍ଷା କର୍ମୀଙ୍କ ସହ ଟଙ୍କା ଚୋରି କରିଥିବା ସ୍ବୀକାର କରିଥିଲେ । ଚୋରି ରାଶିରୁ ୭ଲକ୍ଷ ୮୦ ହଜାର ଟଙ୍କା ଜବତ କରି ୫ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି କଳାହାଣ୍ଡି ପୋଲିସ ।