ଏଟିଏମ କାର୍ଡ ବଦଳାଇ ୯୦ହଜାର ଟଙ୍କା ନେଇଗଲା ଲୁଟେରା, ଜମାରାଶି ଖାଲି
ଯୁବକ ବଡ଼ଚଣା ଥାନା କୁନ୍ଦଳ ପଂଚାୟତ ଗରଗାଲି ଗ୍ରାମର ଶିଶିରକାନ୍ତ ବିଶ୍ୱାଳ। ଅଭିଯୋଗ ଅନୁଯାୟୀ, ଶିଶିର ଚଣ୍ଡିଖୋଲ ଷ୍ଟେଟ ବ୍ୟାଙ୍କ ନିକଟ ଏଟିଏମ କାଉଣ୍ଟରକୁ ଟଙ୍କା ଉଠାଇବାକୁ ଆସିଥିଲେ। ସେଠାରେ ଥିବା ଜଣେ ଅଜଣା ବ୍ୟକ୍ତି ଚାଲାକ କରି ତାଙ୍କ କାର୍ଡଟିକୁ ମାଗି ନେଇଥିଲେ।
କେନ୍ୟୁଜ୍(ବ୍ୟୁରୋ):ପୁଣି ଯାଜପୁରରେ ଠକେଇର ଶିକାର ହେଲେ ଆଉ ଜଣେ ଯୁବକ। ଯୁବକଙ୍କୁ ଭୁଆଁ ବୁଲାଇ ତାଙ୍କ ଏଟିଏମରୁ ୯୦ହଜାର ଟଙ୍କା ଉଠାଇ ନେଇ ଜଣେ ଅଜଣା ବ୍ୟକ୍ତି ଚମ୍ପଟ ମାରିଛି। ଠକେଇର ଶିକାର ହୋଇଥିବା ଯୁବକ ବଡ଼ଚଣା ଥାନା କୁନ୍ଦଳ ପଂଚାୟତ ଗରଗାଲି ଗ୍ରାମର ଶିଶିରକାନ୍ତ ବିଶ୍ୱାଳ। ଅଭିଯୋଗ ଅନୁଯାୟୀ, ଶିଶିର ଚଣ୍ଡିଖୋଲ ଷ୍ଟେଟ ବ୍ୟାଙ୍କ ନିକଟ ଏଟିଏମ କାଉଣ୍ଟରକୁ ଟଙ୍କା ଉଠାଇବାକୁ ଆସିଥିଲେ। ସେଠାରେ ଥିବା ଜଣେ ଅଜଣା ବ୍ୟକ୍ତି ଚାଲାକ କରି ତାଙ୍କ କାର୍ଡଟିକୁ ମାଗି ନେଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ କହିବା ଅନୁସାରେ ଶିଶିର ପିନ ମାରିଥିଲେ। ଠିକ ଏହି ସମୟରେ ଅଜଣା ବ୍ୟକ୍ତି ଜଣକ ତାଙ୍କୁ ଏକ ନକଲି କାର୍ଡ ଧରାଇ ସେଠାରୁ ଖସି ପଳାଇଥିଲା।
ଶିଶିର ନକଲି କାର୍ଡଟିକୁ ମେସିନରେ ପୁରାଇବାରୁ ଟଙ୍କା ବାହାରି ନଥିଲା। ପରେ ବ୍ୟାଙ୍କ ଭିତରକୁ ଯାଇ ତାଙ୍କ ବ୍ୟାଙ୍କ ଖାତା ଯାଞ୍ଚ କରିବାରୁ କିଛି ସମୟ ବ୍ୟବଧାନ ଭିତରେ ତାଙ୍କ ଆକାଉଣ୍ଟରୁ ୯୦ହଜାର ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ। ଫଳରେ ତାଙ୍କର ଜମାରାଶି ସମ୍ପୂର୍ଣ୍ଣ ଖାଲି ହୋଇଯାଇଛି। ଏଟିଏମ ମାଧ୍ୟମରେ ୪ଥର ୧୦ହଜାର ଲେଖାଏଁ ଟଙ୍କା ଏବଂ ୪ଟି ପେଟ୍ରୋଲ ପମ୍ପରୁ ୫୦ହଜାର ଟଙ୍କା ଉଠାଯାଇଥିବା ଷ୍ଟେଟମେଣ୍ଟରୁ ଜଣାପଡିଥିଲା। ଏନେଇ ଶିଶିର ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଲାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ଦୁଇ ଦିନ ପୂର୍ବେ ଜିଲ୍ଲାର ଜାରକା ଅଂଚଳର ଜୈନେକ ବ୍ୟବସାୟୀଙ୍କ ଆକାଉଣ୍ଟ ରୁ ୯୫ହଜାର ଟଙ୍କା ଗାୟବ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।