ଭଦ୍ରକ ଭଣ୍ଡାରି ପୋଖରୀ ଆକ୍ରମଣ ଘଟଣା, ସନ୍ଦେହ ଘେରରେ ୪ ଯୁବକ

ଘରେ କେହି ପୁରୁଷ ଲୋକ ନଥିଲେ । ଆଉ ପୁରୁଷ ଲୋକଙ୍କ ଅନୁପସ୍ଥିତର ସୁଯୋଗ ନେଇ ମହିଳାମାନଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ । ଅତର୍କିତ ଆକ୍ରମଣରେ ଚାଲିଗଲା ବଡ଼ ବୋହୂର ଜୀବନ । ଏପଟେ ଶାଶୁ ଓ ସାନ ବୋହୂ ଗୁରୁତର ହୋଇ ଭଦ୍ରକ ଡାକ୍ତରଖାନାରେ ପଡ଼ିଛନ୍ତି । ନିମିଷକରେ ଏମିତି କାଣ୍ଡ ଘଟିଯିବ କେହି କେବେ ଭାବି ବି ନଥିଲେ । ସନ୍ଧ୍ୟାବେଳେ ହଠାତ ଘରକୁ ପଶି ଆସିଲେ ଆଉ ଶାଶୁ ଓ ଦୁଇ ବୋହୂଙ୍କୁ ଆକ୍ରମଣ କରି ଫେରାର ମାରିଲେ ।
ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅଧିନସ୍ତ ରାଜେନ୍ଦ୍ର ପୁର ପଂଚାୟତର ଦେଓ ପଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗତ କାଲି ସନ୍ଧ୍ୟା ବେଳେ ଏହି ଗାଁର ନବ ସାହୁଙ୍କ ଘରେ କେହି ପୁରୁଷ ଲୋକ ନଥିବାର ସୁଯୋଗ ନେଇ ୪ରୁ୫ ଜଣ ଦୁର୍ବୃତ୍ତ ଖଣ୍ଡା ଭୁଜାଲି ଧରି ଘରେ ପଶିଥିଲେ । କେହି କିଛି ବୁଝିବା ପୂର୍ବରୁ ନବଙ୍କ ସ୍ତ୍ରୀ ଓ ଦୁଇ ବୋହୂଙ୍କୁ ମରଣାନ୍ତକ ଭାବେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ସୌଭାଗ୍ୟ ବଶତଃ ଦୁର୍ବୃତ୍ତମାନେ ଦୁଇ ଶିଶୁଙ୍କୁ ଛାଡି ଦେଇଥିଲେ ।
ତେବେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବଡ଼ ବୋହୂ ଝୁନା ରାଣୀ, ସାନ ବୋହୂ ସସ୍ମିତା ଓ ଶାଶୁ କନକ ଲତା ସାହୁ ଗୁରୁତର ହୋଇ ପଡ଼ିଥିଲେ । ଖବର ପାଇ ଗାଁ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ । ଗ୍ରାମବାସୀମାନେ ଗୁରୁତର ଶାଶୁ ବୋହୂଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲା ବେଳେ ବଡ଼ ବୋହୂ ଝୁନା ରାଣୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଆକ୍ରମଣର ପ୍ରକୃତ କାରଣ ଜଣା ପଡିନାହିଁ । ଡାକ୍ତରଖାନାରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗାଁରେ ଭୟର ବାତାବରଣ ଖେଳିଯାଇଛି ।
ଅନ୍ୟପଟେ ଖବର ପାଇ ଅତିରିକ୍ତ ଏସପି ଗାଁରେ ପହଞ୍ଚି ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ପଚାରି ବୁଝିଥିଲେ । ପରେ ଏହି ଆକ୍ରମଣ ଘଟଣାରେ ୪ ଜଣ ଯୁବକଙ୍କୁ ପୋଲିସ ସନ୍ଦେହ କରି ଥାନାରେ ଅଟକ ରଖି ପଚାର ଉଚରା କରୁଛି । ତେବେ ସେମାନଙ୍କ ମଧ୍ୟରୁ ଜଣେ ମୃତକଙ୍କ ସ୍ୱାମୀଙ୍କ ଦୋକାନରେ ପୂର୍ବରୁ କାମ କରୁଥିବା ଜଣାଯାଇଛି । ତେବେ ଏହି ଘଟଣାର ଫର୍ଦ୍ଦାଫାଶ ଖୁବଶୀଘ୍ର କରାଯିବା ବୋଲି ଭଣ୍ଡାରିପୋଖରୀ ପୋଲିସ କହିଛି ।
ଏ ବର୍ବରତା କାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ । ଦୁର୍ବୃତ୍ତମାନେ ପୂର୍ବରୁ ହୁଏତ ଯୋଜନା କରି ଏମାନଙ୍କୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ଯାହା ବି ହେଉନା କାହିଁକି ପୋଲିସର ତଦନ୍ତ ହିଁ ପ୍ରକୃତ ଘଟଣାର ସତ୍ୟତାକୁ ଖୋଜି ବାହାର କରିବ ।