ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣା: ୪ ଗିରଫ

ଯାଜପୁର : ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି । ଆରୁହା ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ମା’ ହିଙ୍ଗୁଳା ଯଜ୍ଞରେ ଯୋଗଦେବା ପାଇଁ ଯିବାବେଳେ ଏହି ଘଟଣା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଧର୍ମଶାଳା ପୋଲିସ ।
ସୂଚନା ଅନୁସାରେ ୧୩ତାରିଖ ଦିନ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଧର୍ମଶାଳା ବ୍ଲକର ଆରୁହା ଗ୍ରାମରେ ହେଉଥିବା ହିଙ୍ଗୁଳା ଯଜ୍ଞକୁ ମା’ଙ୍କ ଦର୍ଶନ କରିବାକୁ ନିଜର ସମର୍ଥକ ମାନଙ୍କ ସହ ଯାଉଥିଲେ । କିନ୍ତୁ ଯଜ୍ଞକୁ ଯିବା ପୂର୍ବରୁ କିଛି ଲୋକ ଠେଙ୍ଗା ବାଡି ଧରି ପ୍ରଣବଙ୍କୁ ଅଟକାଇବା ସହ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା । ପ୍ରଣବଙ୍କ ସମର୍ଥକ ମାନେ ମଧ୍ୟ ଏଭଳି ଘଟଣାକୁ ନେଇ ପ୍ରତିବାଦ କରିଥିଲେ । ତେବେ ପ୍ରଣବଙ୍କୁ ଅଟକାଇବାକୁ ଆସିଥିବା କିଛି ବ୍ୟକ୍ତି ଠେଙ୍ଗାରେ ପ୍ରଣବଙ୍କ ଗାଡିକୁ ପିଟିବା ଫଳରେ ତାଙ୍କ ଗାଡିର ବନେଟ୍ ଚେପା ହୋଇଯାଇଥିଲା । ପୂର୍ବତନ ବିଧାୟକଙ୍କ ସମର୍ଥକ ମାନେ ମଧ୍ୟ ଆହତ ହୋଇଥିଲେ । ଘଟଣାସ୍ଥଳରେ ଜେନାପୁର ପୋଲିସ ପହଞ୍ଚିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା । ଏପରିକି ତାଙ୍କୁ ଜୀବନରୁ ମାରିବାକୁ ଯୋଜନା ହୋଇଥିଲା ବୋଲି ପ୍ରଣବ ସାଂଘାତିକ ଅଭିଯୋଗ ଆଣିଥିଲେ ।
ଆହୁରି ପଢ଼ନ୍ତୁ : ପାଟଣାଗଡ଼ରେ ଜାଳିଦେଲେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି, କିଏ ଓ କାହିଁକି ନିଆଁ ଲଗାଇଲା ଅସ୍ପଷ୍ଟ