ଶିଶୁପୁତ୍ରକୁ ଉଦ୍ଧାର କରିବାକୁ ଯାଇ ହଟହଟା ପୋଲିସ, ୩ ପୋଲିସ କର୍ମଚାରୀ ଆହତ

ସୋର: ଶିଶୁପୁତ୍ରକୁ ଉଦ୍ଧାର କରିବାକୁ ଯାଇ ହଟହଟା ପୋଲିସ । ଅଭିଯୁକ୍ତର ଆକ୍ରମଣରେ ୩ ପୋଲିସ କର୍ମଚାରୀ ଆହତ । ବାଲେଶ୍ବର ସୋର ଥାନା ରେୱାଦା ଗାଁରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ଆହତଙ୍କ ମଧ୍ୟରେ ଜଣେ ପୋଲିସ ଅଧିକାରୀ ଥିବା ସୂଚନା । ବାଲେଶ୍ବର ସୋର ଥାନା ରେୱାଦା ଗାଁରେ ରହୁଥିବା ସଂଯୁକ୍ତା କରଙ୍କୁ ମାଡ଼ମାରି ତାଙ୍କ ସ୍ୱାମୀ ସମରେନ୍ଦ୍ର ପାଣିଗ୍ରାହୀ ନିଜର ୪ ବର୍ଷର ଶିଶୁକୁ ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା ।

ଯାହାପରେ ଥାନା ଏସଆଇ ଆଶିଷ ବିଶ୍ୱାଳ କନେଷ୍ଟବଳ ରାଜଲଷ୍ମୀ ଓ ଅଭିଯୋଗକାରୀ ସଂଯୁକ୍ତାଙ୍କୁ ନେଇ ଶିଶୁପୁତ୍ର ଉଦ୍ଧାର କରିବାକୁ ଯାଇଥିଲେ । ସମରେନ୍ଦ୍ରଙ୍କ ଘରେ ପହଞ୍ଚି ଶିଶୁ ପୁତ୍ରକୁ ମାଗିବାରୁ ସମରେନ୍ଦ୍ର ପୋଲିସ ଉପରକୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ସଂଯୁକ୍ତା । ଏଥିସହ ପୋଲିସ ଗାଡ଼ି ଉପରକୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଯାହାପରେ ପୋଲିସ ଅଧିକ ଫୋର୍ସ ନେଇ ଅଭିଯୁକ୍ତକୁ କାବୁ କରି ଶିଶୁକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି ।

ଅନ୍ୟପଟେ ପୋଲିସ ଅଭିଯୁକ୍ତ ମଧ୍ୟରେ ଅନେକ ସମୟ ଧରି ଚାଲିଥିଲା ମାରପିଟ । ପୋଲିସ ଗାଡ଼ି ଆଗରେ ସମରେନ୍ଦ୍ର ବସି କାନ୍ଦୁଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ହୋଇଛି । ତେବେ ନିଜ ମା’ ଠାରୁ କାହିଁକି ଶିଶୁପୁତ୍ରକୁ ନେଇଯାଇଥିଲା ଜଣେ ବାପା । କ’ଣ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣ ଯୋଗୁଁ ମନାନ୍ତର ହୋଇଥିଲା କି? ଯେଉଁଥିପାଇଁ ଏଭଳି ଉଦ୍ୟମ କରିଥିଲା ସ୍ୱାମୀ? ଏଭଳି ଭୟଙ୍କର ପରିସ୍ଥିତି କାହିଁକି ଉପୁଜିଥିଲା ତାହାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ଏହି ଘଟଣାରେ କିଏ ସତ କିଏ ମିଛ ତାହା ତଦନ୍ତ ପରେ ହିଁ ଜଣାପଡିବ ।

Also read: ରାଜଧାନୀରେ ଯୁବକଙ୍କୁ ଗୁଳି ଘଟଣାରେ ଟ୍ଵିଷ୍ଟ, ନିଜକୁ ନିଜେ ଗୁଳି ମାରିଥିଲା ଦୀପ୍ତି