ଗଜପତି: ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅଭିଯୋଗ ନେଇ ଆସିଥିଲେ କିନ୍ତୁ ନିରାଶ ହେଲେ । ଶେଷରେ ଜୀବନ ଶେଷ କରିଦେବାକୁ ଉଦ୍ୟମ କରିଥିଲେ । ପୋଲିସ ବଞ୍ଚାଇଦେଲେ ମହିଳାଙ୍କ ଜୀବନ ।
ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ମହାଦେଇପୁରର ମନାସୀ ଜେନା ନାମକ ଜଣେ ମହିଳା ଟଙ୍କା ନେଣଦେଣ ସଂପର୍କରେ ବାରମ୍ବାର ଅଭିଯୋଗ କରିଥିଲେ । ହେଲେ ଥାନା ଅଧିକାରୀ କୌଣସି ସମାଧାନ କରିନଥିଲେ । ପ୍ରତି ବଦଳରେ ସଂପୃକ୍ତ ମହିଳାଙ୍କୁ ଯୌନ ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ବିଭିନ୍ନ ସ୍ଥାନକୁ ଡାକୁଥିବା ଅଭିଯୋଗ କରିଛନ୍ତି ମହିଳା । ଏଥିରେ ରାଜି ନହେବାରୁ ସେ ଦେଇଥିବା ଅଭିଯୋଗ ଭିତ୍ତିରେ ମାମଲା ରୁଜୁ ନକରି ହଇରାଣ କରାଯାଉଛି ।
ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଫେରାଦ ହେବା ସହ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ମଧ୍ୟ ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ। ହେଲେ କୌଣସି ସୁଫଳ ମିଳିନାହିଁ ।
ଆଜି ସେହି ସମାନ ଅଭିଯୋଗ ନେଇ ମହିଳା ଜଣକ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରକୁ ଆସିଥିଲେ । ସେଠାରେ ମଧ୍ୟ ସେ କୌଣସି ସୁଫଳ ନପାଇ ନିରାଶ ହେବା ପରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଝରକା ରେଲିଂରେ ନିଜେ ପିନ୍ଧିଥିବା ଶାଢ଼ୀରେ ଜୀବନ ଶେଷ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ଉପସ୍ଥିତ ପୋଲିସ କର୍ମଚାରୀମାନେ ଅଟକାଇ ଦେଇଥିଲେ । ଫଳରେ ମହିଳା ବଞ୍ଚି ଯାଇଥିଲେ ମଧ୍ୟ ତୁରନ୍ତ ଗୁରାଣ୍ଡି ଥାନା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ତେବେ ମହିଳାଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ତଦନ୍ତ ହେଲେ ସବୁ ସ୍ପଷ୍ଟ ହେବ ବୋଲି ଗୁରାଣ୍ଡି ଥାନା ଅଧିକାରୀ କହିଛନ୍ତି ।
ଉପସ୍ଥିତ ପୋଲିସ କର୍ମଚାରୀଙ୍କ ବୁଦ୍ଧି ଯୋଗୁଁ ଜଣେ ମହିଳାଙ୍କ ଜୀବନ ବଞ୍ଚି ଯାଇଛି । ତେବେ ଥାନା ଅଧିକାରୀ ଦାୟିତ୍ଵରେ ଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଏଭଳି ଆଚରଣକୁ ନେଇ ସାଧାରଣରେ ନିନ୍ଦା କରାଯିବା ସହ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି । ମହିଳାଙ୍କ ଅଭିଯୋଗ ଆଧାରରେ ତଦନ୍ତ କରିବା ପାଇଁ ଏସଡିପିଓଙ୍କୁ ଦାୟିତ୍ବ ଦିଆଯାଇଛି । ତଦନ୍ତରେ ଯିଏ ଦୋଷୀ ବୋଲି ଜଣାପଡ଼ିବ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି ।
ନ୍ୟାୟ ପାଇଁ ଲୋକେ ଥାନାର ଦ୍ବାରସ୍ଥ ହୁଅନ୍ତି । ଯଦି ସେହି ଥାନା ମୁଖିଆଙ୍କ ଏଭଳି ଆଚରଣ ରୁହେ ତାହେଲେ ସାଧାରଣ ଜନତା କେମିତି ନ୍ୟାୟ ପାଇବେ ତାହା ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ ।
Also Read:ହୋଟେଲରୁ ସେକ୍ସ ରାକେଟ୍ ଠାବ, ହୋଟେଲ ମାଲିକ ଓ ଜଣେ ମହିଳା ଗିରଫ