ଗୋପ : ପୁଣି ସାମ୍ନାକୁ ଆସିଛି ପୋଲିସର ନିଷ୍କ୍ରିୟତା । ଜଣେ ଅସହାୟ ବ୍ୟକ୍ତିଙ୍କ ଚରମ ନିଷ୍ପତ୍ତିର ଖବର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ଥାନା ସମ୍ମୁଖରେ । ନ୍ୟାୟ ନମିଳିବାରୁ ଶେଷରେ ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଦୋକାନୀ । ସୂଚନା ଅନୁଯାୟୀ ଗୋପ ଥାନା ଅନ୍ତର୍ଗତ ମଦରଙ୍ଗ ବଜାରର ଚକ୍ରଧର ସାହୁଙ୍କ ମିଠା ଦୋକାନକୁ କିଛି ଦିନ ତଳେ ଜେସିବି ଲଗାଇ ଭାଙ୍ଗି ଦେଇଥିଲେ ସ୍ଥାନୀୟ କେଦାର ରାଉତ ।
ଏହି ମାମଲାରେ କେଦାର ଗିରଫ ହୋଇ ଜେଲ୍ ଯାଇଥିଲେ । ସେ ଫେରିବା ପରେ ପୁଣି ସମାନ କାଣ୍ଡ ଭିଆଇଥିଲେ । ବାରମ୍ବାର ଦୋକାନ ଭାଙ୍ଗିବା ଓ ପୋଲିସ ପକ୍ଷରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ କରି ଆଜି ଚକ୍ରଧର ଓ ତାଙ୍କ ସ୍ତ୍ରୀ ଅତିଷ୍ଠ ହୋଇ ନିଜ ଦେହରେ ପେଟ୍ରୋଲ ଢାଳି ଜୀବନ ହାରିବାକୁ ଚେଷ୍ଟା କରୁଥିଲେ । ସେଠାରୁ ASI ଶିବରାମ ସତପଥୀ ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ପୋଲିସ କେଦାର ରାଉତକୁ ଅଟକ ରଖିଥିଲେ ମଧ୍ୟ, ଜଣେ ସାଧାରଣ ଲୋକକୁ କାହିଁକି ନ୍ୟାୟ ପାଇଁ ଏଭଳି ପଦକ୍ଷେପ ନେବାକୁ ପଡ଼ିଲା ? ତାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ IIC ଉଭୟଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଛନ୍ତି ।
Also read :ପିଟି ପିଟି ମାରିଦେଲେ ହରିଣକୁ, ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛନ୍ତି ରେଞ୍ଜର