ଗୁହାଳ ଘରେ ଲୁଚି ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ, ଧାରଣାରେ ପରିବାର

ଘରେ ବି ସୁରକ୍ଷିତ ନାହାନ୍ତି ଝିଅ । ଗୁହାଳ ଘରକୁ ସେଦିନ ଗାଈକୁ ଖାଇବା ଦେବା ଲାଗି ଯାଇଥିଲେ ଜଣେ ଯୁବତୀ । କିନ୍ତୁ ପୂର୍ବରୁ ହିଁ ଗୁହାଳ ଘରେ ଲୁଚି ବସିଥିଲା ଜଣେ ଯୁବକ । ଆଉ ଯୁବତୀ ଯେମିତି ଗାଈକୁ ଖାଦ୍ୟ ଦେବାକୁ ଯାଇଛନ୍ତି ସଙ୍ଗେ ସଙ୍ଗେ ତାଙ୍କୁ ଟଣା ଭିଡ଼ା କରିବା ଆରମ୍ଭ କରିଥିଲା ଗୁହାଳରେ ଲୁଚି ରହିଥିବା ଯୁବକ । ଉପାୟ ଶୂନ୍ୟ ହୋଇ ଯୁବତୀ ଚିତ୍କାର କରିବାକୁ ଲାଗିଲେ । ଆଉ ସେହି ସମୟରେ ତାଙ୍କ ବାପା ବିଲକୁ ଯାଉଥିଲେ । ଝିଅର ପାଟି ଶୁଣି ସିଧା ଗୁହାଳ ଭିତରକୁ ଦୌଡ଼ି ଯାଇଥିଲେ ବାପା । ଆଉ ଝିଅର ବାପାଙ୍କୁ ଦେଖି ସଙ୍ଗେ ସଙ୍ଗେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ଯୁବତୀଙ୍କୁ ଉଦ୍ଧାର କରିଥିଲେ ତାଙ୍କ ବାପା ।

କିନ୍ତୁ ଏହି ଘଟଣାରେ ଯୁବତୀଙ୍କ ବାପା ଯେଉଁ ପ୍ରତିବାଦ କରିଥିଲେ ତାହା ସଂଘାତିକ ରୂପ ନେବ ବୋଲି ପରିବାର ଲୋକେ କେବେ ବି ଭାବିନଥିଲେ । ପ୍ରତିବାଦ କରିବାରୁ ଯୁବତୀଙ୍କ ବାପାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ ଅଭିଯୁକ୍ତର ପରିବାର । ଉପାୟ ଶୂନ୍ୟ ହୋଇ ଝିଅ ଓ ତାଙ୍କ ପରିବାର ଲୋକେ ଥାନାର ଦ୍ବାରସ୍ଥ ହୋଇଥିଲେ । ଅଭିଯୋଗ ପରେ ପୋଲିସ ଜଣଙ୍କୁ ଗିରଫ କରିଛି । ହେଲେ ଘଟଣାରେ ଜଡ଼ିତ ଥିବା ଅନ୍ୟମାନଙ୍କୁ ଗିରଫ କରୁ ନଥିବାରୁ ଯୁବତୀଙ୍କ ପରିବାର ପ୍ରତିବାଦ କରି ଧାରଣାରେ ବସିଛନ୍ତି ।

ସୂଚନା ଅନୁସାରେ ଏହି ଘଟଣା ଭଦ୍ରକ ପୀରହାଟ ଥାନା ନରେନ୍ଦ୍ରପୁର ଗାଁରେ ଘଟି ଯାଇଛି । ଅଭିଯୋଗ ଅନୁସାରେ ଏହି ଗାଁର ଜଣେ ଯୁବତୀ ନିଜ ଗୁହାଳ ଘରେ ଗାଈକୁ ଖାଦ୍ୟ ଦେବାକୁ ଯାଇଥିବା ବେଳେ ଅମୂଲ୍ୟ ମଲ୍ଲିକ ନାମକ ଜଣେ ଯୁବକ ସେଠାରେ ପୂର୍ବରୁ ଛକି ରହିଥିଲା । ଆଉ ଯୁବତୀଙ୍କ ସହ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲା । ଏଥିରେ ଯୁବତୀ ଜଣଙ୍କ ଭୟଭୀତ ହୋଇ ପାଟି କରିବାରୁ ଅମୂଲ୍ୟ ଘଟଣା ସ୍ଥଳରୁ ପଳାଇ ଯାଇଥିଲା । ଏ ନେଇ ଯୁବତୀଙ୍କ ବାପା ପ୍ରତିବାଦ କରିବାରୁ ଅମୂଲ୍ୟଙ୍କ ସହିତ ତାଙ୍କ ପରିବାରର ସବୁ ସଦସ୍ୟ ହଠାତ ଉତକ୍ଷିପ୍ତ ହୋଇ ଯୁବତୀଙ୍କ ବାପାଙ୍କୁ ଆକ୍ରମଣ କରିଥିଲେ । ତେଣୁ ଯୁବତୀ ପୀରହାଟ ଥାନାରେ ସେମାନଙ୍କ ନାଁରେ ଅଭିଯୋଗ ଦେଇଥିଲେ । ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲେ ବି ଅନ୍ୟମାନେ ଏବେ ଖୁଲମ ଖୋଲା ବୁଲୁଛନ୍ତି । ସେମାନେ ଯୁବତୀଙ୍କ ପରିବାରକୁ ଧମକ ଚମକ ଦେଉଥିବା ବି ଯୁବତୀ କହିଛନ୍ତି । ତେଣୁ ନ୍ୟାୟ ପାଇଁ ଯୁବତୀଙ୍କ ପରିବାର ଲୋକେ ଭଦ୍ରକ ଏସପିଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଅନ୍ୟପଟେ ଏଘଟଣାରେ ପୋଲିସ କିମ୍ବା ଅଭିଯୁକ୍ତ ପରିବାରଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଦର୍ଶକ ବନ୍ଧୁ ଆମ ସମାଜରେ ଏମିତି ଘଟଣା ସବୁଦିନ ଘଟୁଛି । ଝିଅମାନେ ନିଜ ଘରେ ବି ସୁରକ୍ଷିତ ନାହାନ୍ତି । ପ୍ରତି ମୂହୁର୍ତ୍ତରେ କେଉଁଠି ନା କେଉଁଠି ଝିଅମାନେ ଅସଦାଚରଣର ଶିକାର ହେଉଛନ୍ତି । ଏଭଳି ଘଟଣାକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏ ପରିବାର ନ୍ୟାୟ ପାଇପାରିବ । ତେବେ ପୋଲିସର ସଠିକ୍ ତଦନ୍ତ ହିଁ ଘଟଣା ପଛର ଅସଲ କାରଣ ପଦାକୁ ଆଣି ପାରିବ ଏବଂ ଦୋଷୀକୁ ଦଣ୍ଡ ଦେବାର ବାଟ ଖୋଲିଯିବ ।