ଆଜି ବି ବଞ୍ଚିଛି ମାନବିକତା, ବ୍ୟାଗ ଭର୍ତ୍ତି ସୁନା ଗହଣା ପାଇ ବି ଫେରାଇଦେଲେ ଅଟୋ ଡ୍ରାଇଭର

ପୁରୀ(କେ ନ୍ୟୁଜ): ଏବେକା ସମୟରେ ଲୋକଙ୍କ ହୃଦୟରୁ ଯେମିତି ମାନବିକତା ସମ୍ପୂର୍ଣ୍ଣ ରୂପେ ମରିଗଲାଣି । ସ୍ୱାର୍ଥ ଟିକକ ହାସଲ କରିବା ପାଇଁ ମଣିଷ ଯେତେ ତଳକୁ ଖସିବା ପାଇଁ ବି ପଛାଉ ନାହିଁ । କିନ୍ତୁ ଯଦି ଆମେ କହିବା ଏଦୁନିଆରେ ଭଲ ଲୋକ ଆଦୌ ବି ନାହାନ୍ତି କେବଳ ଖରାପ ଲୋକ ହିଁ ଭର୍ତ୍ତି ହୋଇଛନ୍ତି ତେବେ ତାହା ହୁଏତ ଭୁଲ ହୋଇଯିବ । ଏବେ ବି ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିସ୍ଵାର୍ଥପର, ଲୋଭ ଟିକକ ଯେମିତି ତାଙ୍କ ରକ୍ତରେ ନାହିଁ । ଲୋଭ ମୋହ ମାୟା ଠାରୁ କାହିଁ କେତେ ଦୂରରେ ଏମାନେ । ଏମିତି ହିଁ ଏକ ଘଟଣା ସାମ୍ନାକୁ ଆସିଛି । ଶ୍ରୀ ଜଗନ୍ନାଥ ଧାମରେ ଅଟୋ ଚଳାଇ ପେଟ ପୋଷୁଥିବା ଜଣେ ଅଟୋ ଚାଲାକ । ତାଙ୍କ ନାଁ ହେଉଛି ଶ୍ରବଣ କୁମାର । ଶ୍ରବଣ ଏମିତି ଏକ କାମ କରି ଦେଖାଇଛନ୍ତି , ଯାହାପାଇଁ ତାଙ୍କୁ ଯେତେ ପ୍ରଶଂସା କଲେ ବି ହୁଏତ କମ ହେବ । ତାଙ୍କ ଅଟୋରେ ଯାତ୍ରା କରି ଭୁଲରେ ଛାଡି ଦେଇଥିବା ସୁନାଗହଣାକୁ ଠିକଣା ସ୍ଥାନରେ ପହଞ୍ଚାଇଛନ୍ତି ଶ୍ରବଣ ।

ଆଉ ଏହା ପରେ ବିଭିନ୍ନ ମହଲରୁ ତାଙ୍କ ପାଇଁ ଯେମିତି ପ୍ରଶଂସାର ସୁଅ ଛୁଟୁଛି । ଘଟଣାଟି ପ୍ରକୃତରେ ଘଟିଛି ଏହିପରି । ନଭେମ୍ବର ୩୦ ତାରିଖ ଅର୍ଥାତ ମଙ୍ଗଳବାର ପୁରୀସ୍ଥିତ ଚକ୍ରତୀର୍ଥ ରୋଡ୍ ଏକ ହୋଟେଲ ଆଗରୁ ଏକ ବିବାହ ନିର୍ବନ୍ଧ ପାଇଁ ଆସିଥିବା ବାଲେଶ୍ୱରର ମୂଳବାସିନ୍ଦା ପ୍ରମୋଦ କୁମାର ସିଂ ସାମନ୍ତଙ୍କ ବୋହୂ ଓ ପରିବାର ଲୋକଙ୍କୁ ଶ୍ରବଣ ନିଜ ଅଟୋରେ ନେଇ ଗୁଣ୍ଡିଚା ମନ୍ଦିର ନିକଟ ନୃସିଂହ ମନ୍ଦିର ଆଗରେ ଛାଡ଼ିଥିଲେ । ଆଉ ଏହା ପରେ ତରବରିଆ ଭାବରେ ଓହ୍ଲାଇ ନିର୍ବନ୍ଧରେ ଯୋଗଦେବାକୁ ଚାଲିଯାଇଥିଲେ । ପରେ ଖୋଜାଖୋଜି କରିବାରୁ ଜାଣିବାକୁ ପାଇଲେ ଯେ ବ୍ୟାଗଟି ଅଟୋରେ ଛାଡ଼ି ଚାଲିଆସିଛନ୍ତି । ଯେଉଁଥିରେ ସେମାନଙ୍କର ସୁନା ହାର ସମେତକିଛି ଗହଣା ଥିଲା । ଏକଥା ପ୍ରମୋଦଙ୍କ ବୋହୂ ତାଙ୍କ ଶାଶୂଙ୍କୁ ଜଣାଇଥିଲେ । ପ୍ରମୋଦଙ୍କ ସମେତ ପୁରା ପରିବାର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସତ୍ତ୍ୱ ମଧ୍ୟ ବ୍ୟାଗ୍ଟିକୁ ପାଇନଥିଲେ । ପରେ ହୋଟେଲକୁ ଯାଇ ଆଖପାଖରେ ପଚାରିବାରୁ ଜାଣିବାକୁ ପାଇଲେ ଯେ ଜଣେ ଅଟୋଚାଳକ ସୁନା ଭରା ବ୍ୟାଗ୍ ପାଇଛନ୍ତି, ଯାହାକୁ ସେ ସମୁଦ୍ରକୂଳ ଥାନାରେ ଦାଖଲ କରିଛନ୍ତି । ଖବର ପାଇ ପ୍ରମୋଦ ଥାନାକୁ ଯାଇଥିଲେ ।

ଥାନାରେ ପ୍ରମୋଦ ସମସ୍ତ ସୁନା ଫେରିପାଇବା ପରେ ଆଖି ଛଳଛଳ କରି ଶ୍ରବଣଙ୍କୁ କୁଣ୍ଢାଇ ପକାଇଥିଲେ । ଏପରିକି ଶ୍ରବଣଙ୍କ ସାଧୁତା ଓ ନିସ୍ଵାର୍ଥପରତା ପାଇଁ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ । ଯାତ୍ରୀଙ୍କୁ ଯଥା ସ୍ଥାନରେ ଛାଡିବା ପରେ ତାଙ୍କ ଅଟୋରେ ତାଙ୍କୁ ଏକ ବ୍ୟାଗ ମିଳିଥିଲା । ଏହା ପରେ ବ୍ୟାଗଟି କାହାର ବୋଲି ଅନେକ ଖୋଜାଖୋଜି କରିଥିଲେ ପ୍ରମୋଦ । କିନ୍ତୁ କିଛି ଲାଭ ନ ହେବାରୁ ଶେଷରେ ଶ୍ରବଣ ଉକ୍ତ ବ୍ୟାଗକୁ ଥାନାରେ ନେଇ ଦାଖଲ କରିଥିଲେ । ପରେ ପ୍ରମୋଦଙ୍କ ପରିବାର ଥାନାରେ ପହଂଚିବା ପରେ ହଜିଯାଇଥିବା ସୁନାକୁ ଫେରି ପାଇଥିଲେ । ଶ୍ରବଣଙ୍କ ପାଇଁ ଏହି ଘଟଣା ପ୍ରଥମ ନୁହେଁ । ଏହା ପୂର୍ବରୁ ଅନେକ ଥର ପର୍ଯ୍ୟଟକ ଛାଡ଼ିଯାଇଥିବା ଜିନିଷ ପତ୍ର ଯଥା ସ୍ଥାନରେ ଫେରାଇ ଦେଇଛନ୍ତି ଶ୍ରବଣ କୁମାର । ସତରେ ଶ୍ରବଣଙ୍କ ଏହି କାମ ତାଙ୍କ ନିଃସ୍ୱାର୍ଥପରତା, ବିଶାଳ ହୃଦୟର ଜୀବନ୍ତ ପ୍ରମାଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.