ଘର କରିବାରୁ ବଞ୍ଚିତ ଆବାସ ଯୋଜନାର ହିତାଧିକାରୀ, ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ଆସିଥିବା ଅର୍ଥ

ଆନନ୍ଦପୁର: ସେମାନଙ୍କର ମଧ୍ୟ ଅନେକ ଇଛା ଥିଲା ବର୍ଷା ଦିନ ପୂର୍ବରୁ ଆବାସ ଯୋଜନା ଘର ସରିଯିବ ଆଉ ସାପ ବେଙ୍ଗଙ୍କ ସହିତ ଗୁହାଳ ଘରେ ଶୋଇବାକୁ ପଡ଼ିବନି ହେଲେ ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱ ହୀନତା ଯୋଗୁ ଆବାସ ଯୋଜନାରେ ଘର ପାଇ ମଧ୍ୟ ଘର ନିର୍ମାଣ କରି ନପାରି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଅନେକ ପରିବାର । ତେବେ ଆବାସ ଯୋଜନାକୁ ନେଇ ହାଟଡିହି ବ୍ଲକରେ ଉପୁଜିଛି ଏଭଳି ଅନେକ ସମସ୍ୟା । ଅନେକ ପରିବାର ଆବାସ ଯୋଜନାରେ ସାମିଲ ହେବା ପରେ ମଧ୍ୟ ଘର ପାଇଁ ଆସିଥିବା ଅର୍ଥ ଅନ୍ୟ ଆକାଉଣ୍ଟକୁ ପଳାଉଛି ।

ସମ୍ପୃକ୍ତ ପରିବାର ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରୁଛନ୍ତି । ଗୋଟିଏ କି ୨ଟି ନୁହଁ ଅନେକ ପରିବାର ସହ ଦେଖାଦେଇଛି ଏଭଳି ସମସ୍ୟା । ଅଭିଯୋଗ ଅନୁଯାଇ ସଡଙ୍ଗ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ବାସୁଦେବ ନାୟକ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି । ସେ ଭଙ୍ଗା ଚାଳଘରେ ବସବାସ କରୁଛନ୍ତି । ଗୋଟିଏ ଘର ଭିତରେ ଗୋରୁ ଗାଇଙ୍କୁ ରଖିବା ସହ ଆଉ ଗୋଟିଏ ପାଖରେ ବୃଦ୍ଧ ଦମ୍ପତ୍ତି ରହୁଛନ୍ତି । ଏପରିକି ଘରର କାନ୍ଥ ଭାଙ୍ଗି ପଡ଼ିଥିବାରୁ ନିଜ ପିନ୍ଧା ଶାଢ଼ୀକୁ ଘେରାଉ କରିଛନ୍ତି ।

ପର ଘରେ କାମଧନ୍ଦା କଲେ ପେଟ ପୋଷୁଥିବା ଏହି ପରିବାର ଆବାସ ଯୋଜନାରେ ଘର ପାଇଥିଲେ ମଧ୍ୟ ତାଙ୍କ ଟଙ୍କା ସେହି ଗ୍ରାମର ଜ୍ୟୋତ୍ସ୍ନାରାଣୀ ନାୟକ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ଏକାଉଣ୍ଟକୁ ପଳାଇଛି । ତେବେ ଏହି ଘଟଣାକୁ ନେଇ ସେ ପ୍ରତିମାସ ବାସୁଦେବବ୍ଲକକୁ ଦୌଡୁଥିଲେ ମଧ୍ୟ ତାଙ୍କ କଥାକୁ କେହି ଶୁଣୁନାହାନ୍ତି । ଓଲଟା ସେହି ବିଭାଗରେ ଥିବା କର୍ମଚାରୀଙ୍କ ବ୍ୟବହାରରେ ସେ ଅତିଷ୍ଠ ହୋଇପଡିଛନ୍ତି । ସେଥିପାଇଁ ସେ ଆଉ ଘର ପାଇବାର ଆଶା ମଧ୍ୟ ଛାଡ଼ିଦେଇଛନ୍ତି ।

ବିଭିନ୍ନ ପଞ୍ଚାୟତରେ ଏହିପରି ଅନେକ ହିତାଧିକାରୀଙ୍କ ଟଙ୍କା ଭିନ୍ନ ଆକାଉଣ୍ଟକୁ ପଳାଇଥିବାରୁ ଆବାସ ଯୋଜନାର ହିତାଧିକାରୀ ମାନେ ଘର କରିବାରୁ ବଞ୍ଚିତ ହୋଇଛନ୍ତି । ଏ ସମ୍ପର୍କରେ ବିଡ଼ିଓ ଏପରି ଅନିୟମିତତାକୁ ସ୍ୱୀକାର କରି ପ୍ରକାଶ କରିଛନ୍ତି ଯେ ବ୍ଲକରେ ମୋଟ ୨୧୧ ଜଣ ହିତାଧିକାରୀଙ୍କ ସହିତ ଏପରି ସମସ୍ୟା ହୋଇଥିଲା । ଏନେଇ କମିଟି ଗଠନ କରି ୯୫ଭାଗ ଲୋକଙ୍କ ସମସ୍ୟା ସମାଧାନ କରା ଯାଇଥିବା ବେଳେ ଆଉ ମାତ୍ର ୧୨/୧୩ ଜଣଙ୍କ ସମସ୍ୟା ରହିଛି ।

ଟଙ୍କା ଫେରାଉନଥିବା ବ୍ୟକ୍ତିଙ୍କ ନାମରେ ବ୍ଲକ ତରଫରୁ ଥାନାରେ ଏତଲା ଦିଆଯାଉଛି । ଆଉ ଯେଉଁ କିଛି ଲୋକଙ୍କ ସମସ୍ୟା ରହିଛି ତାହା ଅତିଶୀଘ୍ର ସମାଧାନ କରିବା ନେଇ ପ୍ରତିଶୃତି ଦେଇଛନ୍ତି । ବିଭାଗୀୟ କର୍ମଚାରୀଙ୍କ ଦାଇତ୍ୱ ହୀନତାର ଦୁଃଖ ଏବେ ଏହି ଗରିବଙ୍କୁ ଭୋଗିବାକୁ ପଡୁଛି । ତେଣୁ ତୁରନ୍ତ ସମସ୍ୟାର ସମାଧାନ ସହିତ ଆବାସ ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.