ଆଜି ଓଡ଼ିଶାରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ ଜେପି ନଡ୍ଡା, ଜାଣନ୍ତୁ ଅନ୍ୟ କେଉଁ ଜାଗାରେ ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆଜିଠୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା । କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଯୋଗଦେଇ ଏହି ଯୋଜନାର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଉପସ୍ଥିତ ରହିବେ ।
୩୪ତମ ରାଜ୍ୟ ଭାବେ ଓଡ଼ିଶା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ। ରାଜ୍ୟରେ ବର୍ତ୍ତମାନର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ସମନ୍ୱୟ ରଖି ଏବିପିଏମ୍-ଜେଏୱାଇ କାର୍ଯ୍ୟକାରୀ କରାଯିବ । ଜାନୁଆରୀ ୧୩ରେ ଦିଲ୍ଲୀରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ଏଜେନ୍ସି ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଥିଲା । ଏହି ଯୋଜନାରେ ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ମହିଳାଙ୍କ ପାଇଁ ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ବ୍ୟବସ୍ଥା ରହିଛି। ଏଥିରେ ରାଜ୍ୟର ଏକ କୋଟିରୁ ଅଧିକ ପରିବାରର ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ।
କେଉଁ ଦିନ କେଉଁ କାର୍ଯ୍ୟକ୍ରମ :
ସେହିପରି କଟକସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପୋଷ୍ଟ ଗ୍ରାଜୁଏଟ ଇନ୍ଷ୍ଟିଚ୍ୟୁଟ ଅଫ୍ ପେଡିଆଟ୍ରିକ୍ର ନୂତନ ଭବନର ଉଦ୍ଘାଟନ କରିବେ। ଏହାପରେ ଭୁବନେଶ୍ୱରସ୍ଥିତ ସିପେଟ୍ ଓ ଏମ୍ସ ମେଡିକାଲ କଲେଜ ଯିବାର କାର୍ଯ୍ୟକ୍ରମ ରହିଛି । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ଓଡ଼ିଶାବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ।
ସେହିପରି ଶୁକ୍ରବାର ସଂଧ୍ୟାରୁ ରବିବାର ସଂଧ୍ୟା ପର୍ଯ୍ୟନ୍ତ ପୁରୀରେ ସାଂସଦ ଓ ବିଧାୟକମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ନଡ୍ଡା ଏହି କାର୍ଯ୍ୟକ୍ରମକୁ ଶନିବାର ସକାଳେ ବିଧିବଦ୍ଧ ଉଦ୍ଘାଟନ କରିବେ । ହେଲେ ଶୁକ୍ରବାର ଏଥିେର ଯୋଗଦେବା ସହ ସେଠାରେ ରାତ୍ରିଯାପନ କରିବେ । ଏହି ଶିବିରରେ ସାଙ୍ଗଠନିକ, ପ୍ରାଶାସନିକ, ବିଚାରଧାରା ଓ କ୍ରିୟାନ୍ୱୟନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ ବୋଲି ମନମୋହନ ସାମଲ କହିଛନ୍ତି ।
କାର୍ଯ୍ୟକ୍ରମ ପାଇଁ ସୁରକ୍ଷା କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଦିନ ୧୧.୩୦ ରୁ ୪.୩୦ ପର୍ଯ୍ୟନ୍ତ ଯୋବ୍ରା ବ୍ୟାରେଜରୁ ବେଲ-ଭିୟୁ ଛକ ମଧ୍ୟରେ ଟ୍ରାଫିକ କଟକଣା ରହିବ ବୋଲି କହିଛନ୍ତି କଟକ ଡିସିପି ।
ଆହୁରି ପଢ଼ନ୍ତୁ : ଆସନ୍ତାକାଲି କଟକରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଯୋଜନା, ଶୁଭାରମ୍ଭ କରିବେ କେନ୍ଦ୍ର…