ବି ଟେକ,ଏମ ଟେକ, ବିବିଏ ପିଲା କରୁଛନ୍ତି ହୋମଗାର୍ଡ ପଦବୀ ପାଇଁ ଆବେଦନ

ସୁନ୍ଦରଗଡ଼: ହୋମଗାର୍ଡ଼ ପଦବୀ ଆବେଦନ ପାଇଁ ଯୁବପିଢ଼ିଙ୍କ ଲମ୍ବା ଲାଇନ୍ । ଆପଣ ଏ ଦୃଶ୍ୟ ଦେଖି ଭାବୁଥିବେ ଏଥିରେ ବଡ଼ କଥା କଣ? ଆବେଦନ କରିବା ପାଇଁ ତ ଆଶାୟୀ ପ୍ରାର୍ଥୀ ଲାଇନ୍ କରିଛନ୍ତି । କିନ୍ତୁ ଏଠି ଆଶ୍ଚର୍ଯ୍ୟ କଲା ଭଳି ତ କଥା ରହିଛି ଯହା ଆମେ ଆପଣଙ୍କୁ ଏହି ଖବର ମାଧ୍ୟମରେ ଜଣାଇବାକୁ ଯାଉଛୁ….ସୁନ୍ଦରଗଡ଼ର ହୋମଗାର୍ଡ କାର୍ଯ୍ୟାଳୟଠାରେ ହୋମଗାର୍ଡ ଆବେଦନକାରୀଙ୍କ ଲମ୍ବା ଲାଇନ । ପଦବୀ ହୋମଗାର୍ଡ କିନ୍ତୁ ଆବେଦନ କରିବାକୁ ପହଞ୍ଚିଛନ୍ତି ବିଟେକ,ଏମଟେକ, ଵିବିଏ ପିଲାମାନେ । ପଞ୍ଚମ ଶ୍ରେଣୀ ଯୋଗ୍ୟତା ବିଶିଷ୍ଟ ହୋମଗାର୍ଡ ଚାକିରି ପାଇଁ ଆବେଦନ କରୁଛନ୍ତି ବିଟେକ,ଏମ ଟେକ, ବିଵିଏ ସହ ଅନେକ ଡିଗ୍ରୀଧାରୀ ପ୍ରାର୍ଥୀ । ସୁନ୍ଦରଗଡ଼ ପୁଲିସ ଜିଲ୍ଲା ପାଇଁ ୯୨ ଟି ପଦ ରହିଥିବା ବେଳେ ଏବେ ସୁଦ୍ଧା ୮ ହଜାରରୁ ଊର୍ଦ୍ଧ୍ବ ଆଶାୟୀ ପ୍ରାର୍ଥୀ ଆବେଦନ କରି ସାରିଥିବା ଜଣାପଡିଛି ।

ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ୩୯୭ ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ଆହ୍ବାନ କରାଯାଇଥିଲା । ସେଥିରୁ ବର୍ତ୍ତମାନ ୨୬୩ ଜଣ କାର୍ଯ୍ୟରତ ଅଛନ୍ତି ଆଉ ୯୨ଟି ପଦ ଖାଲି ରହିଛି । ଅନ୍ୟପକ୍ଷରେ ଦେଖିବାକୁ ଗଲେ ପଞ୍ଚମ ଶ୍ରେଣୀ ଯୋଗ୍ୟତା ଆବଶ୍ୟକ ଥିବା ବେଳେ ହୋମଗାର୍ଡ ପଦ ଲାଗି ଉଦ୍ଦିଷ୍ଟ ଏହି ଚୁକ୍ତି ଭିତ୍ତିକ ପଦ ପାଇଁ ଆଜି ଦିନ ୧୧ଟା ସୁଦ୍ଧା ୮ ହଜାରରୁ ଊର୍ଦ୍ଧ୍ବ ଆବେଦନକାରୀ ଆବେଦନ କରି ସାରିଥିଲେ । ଆବେଦନକାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ଉଚ୍ଚ ଶିକ୍ଷିତ ବେକାର। ଏନେଇ ହୋମଗାର୍ଡ କାର୍ଯ୍ୟାଳୟରେ ପ୍ରତିଦିନ ଆବେଦନକାରୀଙ୍କ ଲମ୍ବା ଧାଡ଼ି ଲାଗୁଛି ।

ବିଟେକ, ଏମଟେକ, ବିବିଏ, ସ୍ନାତକ ସମେତ ଅନେକ ଉଚ୍ଚ ଶିକ୍ଷିତ ବେକାର ଯୁବକ ଯୁବତୀ ଆବେଦନ କରୁଥିବା ଦେଖି ବୁଦ୍ଧିଜୀବୀ ମହଲରେ ଉଠିଛି ପ୍ରଶ୍ନ । ଉଚ୍ଚ ଶିକ୍ଷିତ ବେକାର ଯୁବକ ଯୁବତୀମାନେ ଚାକିରି ଲୋଭରେ ନିଜ ଶିକ୍ଷାଗତ ଯୋଗ୍ୟତା ଠାରୁ କମ୍ ପଦବି ପାଇଁ ଆବେଦନ କରୁଛନ୍ତି । କାରଣ ବେକାର ବସିବା ଅପେକ୍ଷା ଚାକିରିଟିଏ ଦରକାର । ହୋମଗାର୍ଡ ହୋଇ ରାତିରେ ପହରା ଦେବା, କିମ୍ବା ଡ୍ରାଇଭର ଭାବେ ଗାଡି ଚଳାଇବା ଭଳି କାମ ପାଇଁ ସେମାନେ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରି ସାରିଛନ୍ତି । ରତ୍ନଗର୍ଭା ସୁନ୍ଦରଗଡ଼ ଜିଲ୍ଲା ପାଇଁ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାର ସୁଯୋଗ ରହିଥିଲେ ମଧ୍ୟ ବିଡ଼ମ୍ବନାର ବିଷୟ ଯେ, ଜିଲ୍ଲାର ଉଚ୍ଚ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ହୋମଗାର୍ଡ ଚାକିରି ପାଇଁ ଆବେଦନ କରିବାକୁ ପଡୁଛି ।

ଏ ଦୃଶ୍ୟ କେବଳ ସୁନ୍ଦଗଡ଼ରେ ଦେଖିବାକୁ ମିଳିନଥିଲା ରାଉରକେଲାରେ ମଧ୍ୟ ସେହି ସମାନ ଦୃଶ୍ୟ । ଚାକିରି ପାଇଁ ଲମ୍ବା ଲାଇନ ଏହାସହ ଯୁବକ ଯୁବତୀଙ୍କ ଭିତରେ ପ୍ରବଳ ପ୍ରତିଯୋଗିତା। ଗୃହରକ୍ଷୀ ଚାକିରି ପାଇଁ ଚାଲିଛି ଆବେଦନ ପ୍ରକ୍ରିୟା। ଏବଂ ଏହି ଆବେଦନ ପ୍ରକ୍ରିୟାରେ ଆବେଦନ କରିଛନ୍ତି ଡିପ୍ଲୋମା , ବି.ଟେକ୍, ଏମ୍ସିଏ,ଏମ ଟେକ, ବିବିଏ ଡିଗ୍ରିଧାରୀ ପ୍ରାର୍ଥୀ। ରାଉରକେଲା ପୁଲିସ ଜିଲ୍ଲାରେ ୧୦୭ ଗୃହରକ୍ଷୀ ପଦ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ତାଲିକାରୁ ତାହା ପ୍ରମାଣିତ ହୋଇଛି। କେବଳ ମାଟ୍ରିକ ଆଇଟିଆଇ ଛାତ୍ରଛାତ୍ରୀ ନାହାନ୍ତି ବରଂ ବି.ଟେକ୍, ଏମ୍ସିଏ ବିବିଏ ଡିପ୍ଲୋମା,ସ୍ନାତକ ଆଦି ଡିଗ୍ରିଧାରୀ ମଧ୍ୟ ଗୃହରକ୍ଷୀ ଚାକିରୀ ଟିଏ ପାଇଁ ଆବେଦନ କରୁଛନ୍ତି। ଆଜି ବୁଧବାର ଶେଷ ତାରିଖ ଥିବାରୁ ଆବେଦନକାରୀଙ୍କ ସଂଖ୍ୟା ବଢ଼ି ଚାଲିଥିଲା ।

Also Read:ଗିରଫ ହେଲେ ରାଜା ଚକ୍ର, ୧୫୦ କୋଟି ଟଙ୍କାର ଠକେଇ ଅଭିଯୋଗ