ଖାଇରେ ପଡ଼ିଛି ଛୁଆ ହାତୀ, ଜଗି ରହିଛି ମାଆ

ଛୁଆ ଯେଉଁଠି ମାଆ ସେଇଠି । ମଣିଷ ହେଉ କି ପଶୁ ମା’ର ମମତା ଛୁଆ ପାଇଁ ସବୁବେଳେ ସମାନ । ଛୁଆ ଯେଉଁ ବିପଦରେ ପଡ଼ି ଥାଉ ନା କାହିଁକି ମା’ ସବୁବେଳେ ଛୁଆ ପାଖରେ ରହି ଛୁଆକୁ ସୁରକ୍ଷା ଦିଏ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିପାଇଁ ଆମେ ଏମିତି କହୁଛୁ । ଛୁଆ ହାତୀ ଖାଇରେ ପଡ଼ିଯିବାରୁ ମା’ ହାତୀ ଜଗି ରହିଛି । ମା’ ହାତୀ ମନରେ କେତେ ଯେ ଯନ୍ତ୍ରଣା ଆମେ କଳ୍ପନା ବି କରି ପାରିବାନି । ତା ଛୁଆ ଅସୁସ୍ଥ ହୋଇପଡ଼ିଛି । ଛୁଆର ଏପରି ଅବସ୍ଥାରେ ମା’ ଛୁଆକୁ ସାହାଯ୍ୟ କରିପାରୁନି । ତା ଛୁଆକୁ କେହି ଉଦ୍ଧାର କରିବା ପାଇଁ ମା’ ହାତୀ ଅନେଇ ବସିଛି ।

ଖାଇ ଭିତରେ ଛୁଆ ହାତୀ ପଡ଼ି ଯାଇଛି ଆଉ ମା’ ହାତୀ ଛୁଆକୁ ଜଗି ରହିଛି । ହାତୀ ଛୁଆ ଖାଇରୁ ବାହାରିବାକୁ ଅସମର୍ଥ ତେଣୁ ମା’ ହାତୀ ଛୁଆର ପାଖ ଛାଡ଼ି ଯାଉନି । ସେପଟେ ଗୋଠ ହାତୀ ବି ଖାଇ ପାଖପାଖ ଅଞ୍ଚଳରେ ରହିଛନ୍ତି । ତେଣୁ ଉଦ୍ଧାର କାର୍ଯ୍ୟ ବି ଆରମ୍ଭ ହୋଇ ପାରିନି ।

ଛୁଆ ହାତୀ ଖାଇରୁ ବାହାରିବାକୁ ଚେଷ୍ଟା କରି କରି ଥକି ଯାଇଛି । ଆଉ ମା’ ପାଖରେ ସେଇ ମାଟି ଉପରେ ଶୋଇ ରହିଛି । ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହୋଇଯିବଣି ମା’ ଛୁଆ ଖାଇବାକୁ ନପାଇ ଦୁର୍ବଳ ହୋଇପଡ଼ିଛି । ମୟୁରଭଞ୍ଜ କରଞ୍ଜିଆ ବନଖଣ୍ଡର ସରୁବାଲି ଗାଁ ଜଙ୍ଗଲ ନିକଟରେ ଥିବା ଏକ ମୁରୁମ ଖାଇରେ ଗତ କାଲି ରାତି ୧୨ ରୁ ପଡି ରହିଛି ଛୁଆ ହାତୀ । ନିକଟରେ ମାଆ ହାତୀ ଏବଂ ଅନ୍ୟ ଗୋଠ ହାତୀ ଥିବାରୁ  ୧୨ ଘଣ୍ଟା ପରେ ବି ରେସ୍କ୍ୟୁ  ଅପରେସନ କରି ପାରୁନି ବନବିଭାଗ ।  ଛୁଆ ହାତୀକୁ ଚିକିତ୍ସା ପାଇଁ ଶିମିଳିପାଳ, କରଞ୍ଜିଆ ଏବଂ କେନ୍ଦୁଝରରୁ ପହଁଚିଛନ୍ତି ଡାକ୍ତର ଟିମ । ମା ହାତୀକୁ ଘଉଡ଼େଇବା ପରେ  ବନ ବିଭାଗ ରେସ୍କୁ ଅପରେସନ କରିବ ବୋଲି ଜଣା ପଡ଼ିଛି ।

ଛୁଆ ହାତୀକୁ ଉଦ୍ଧାର କରିବା ପାଇଁ ପ୍ରସ୍ତୁତି ଚାଲିଛି । ମାଆ ହାତୀଟି ସେଠାରୁ ହଟିଲେ ଯାଇ ଛୁଆର ଚିକିତ୍ସା ହୋଇ ପାରିବ । ତେବେ ଛୁଆ ହାତୀଟିର ଅସୁସ୍ଥ ହେବାର କାରଣ ସ୍ପଷ୍ଟ ହୋଇନାହିଁ । ଏପଟେ ବିଭିନ୍ନ କାରଣରୁ ଜୀବନ ଯାଉଛି ଗଜରାଜଙ୍କର । ତେଣୁ ହାତୀ ଛୁଆକୁ ଉଦ୍ଧାର କରି କିଭଳି ସୁସ୍ଥ କରିହେବ ସେହି ଚିନ୍ତାରେ ଏବେ ବନ ବିଭାଗ ।