ଲୋକ ଲଜ୍ଜା ପାଇଁ କରିଥିଲେ ପିଲା ଚୋରିର ଡ୍ରାମା, କ୍ଷମା ମାଗିଲେ ଦମ୍ପତି
ନୟାଗଡ଼ : ମେଡିକାଲରୁ ପିଲା ଚୋରି ହୋଇ ଯାଇଛି ବୋଲି କହି ଛାତି ବାଡ଼େଇ କାନ୍ଦୁଥିଲା ଏଇ ମା’ ଜଣକ । କିନ୍ତୁ ଏସବୁ ଥିଲା ତାଙ୍କର ଗୋଟାଏ ମିଛ ନାଟକ । ଏବେ ଗିରଫ ହେବା ଭୟରେ ସବୁ ସତ ମାନିଛନ୍ତି । ଯେଉଁ ସତରେ ଲୁଚି ରହିଛି ତାଙ୍କ ଦୁଃଖ ବେଦନା । ଯାହାକୁ ଆପଣ ଜାଣିଲେ ଆପଣଙ୍କ ଆଖିରେ ଲୁହ ଜକେଇ ଆସିବ । କେଉଁ କାରଣ ତାଙ୍କୁ ଏପରି କରିବାକୁ ବିବସ କରିଦେଇଥିଲା । ମହିଳା ଜଣକ କିଛି ବାଟ ନପାଇ ଆପଣେଇଥିଲେ ଏହି ଉପାୟ , ଯେଉଁଥିରେ ତାଙ୍କ ସ୍ବାମୀ ମଧ୍ୟ ସାଥ୍ ଦେଇଥିଲେ ।
ହଁ ଆଜ୍ଞା, ଆମ ବାହାଘରକୁ କିଛି ବର୍ଷ ବିତିଯାଇଥିଲା। କିନ୍ତୁ ଆମର କିଛି ପିଲା ପିଲି ହେଉନଥିଲେ । କେତେ ଦିଅଁ ଦେବତା ପୂଜିବା ସହ ଡାକ୍ତରଙ୍କୁ ଦେଖାଇଥିଲି । ହେଲେ କିଛି ସୁଫଳ ମିଳିନଥିଲା । କେତେ ଦିନ ଆଉ ମା ’ ଡାକ ନ ଶୁଣି ରହିପାରି ଥାଆନ୍ତି । ମୋ ଛାତି ଫାଟି ପଡ଼ୁଥିଲା । ଲୋକଙ୍କ ଟାହି ଟାପରା ମୁଁ ଆଉ ସହି ପାରିଲିନି । କଣ ଆଉ କରିଥାଆନ୍ତି । ମୋତେ କ୍ଷମା କରିଦିଅ…ଏ ଗୋଟିଏ ମା’ର କରୁଣ କାହାଣୀ ….
ତେବେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ନବଜାତ ଶିଶୁ ଚୋରି ଅଭିଯୋଗ ଥିଲା ଏକ ହାଇଡ୍ରାମା l ମାନସିକ ଭାରସାମ୍ୟ ଓ ଲୋକ ଲଜ୍ୟାରୁ ବଞ୍ଚିବା ପାଇଁ ମିଛ ଅଭିଯୋଗ କରିଥିବା କହିଲେ ଖୋଦ ଦମ୍ପତି l ସମସ୍ତଙ୍କୁ ଭୁଲ ମାଗିବା ସହ କ୍ଷମା କରିଦେବାକୁ ନିବେଦନ କରିଛନ୍ତି l
ନୟାଗଡ଼ ଜିଲ୍ଲା ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନବଜାତ ଶିଶୁ ଚୋରି ହୋଇଥିବା ଅଭିଯୋଗ ଆସିଥିଲା l ନିଜେ ମିଛ ଅଭିଯୋଗ କରିଥିବା ସ୍ୱୀକାର କଲେ ଅଭିଯୋଗକାରୀ l ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ଜେନା, ତାଙ୍କ ପତ୍ନୀ ସୁଧୀସ୍ମିତା ଜେନା ଓ ଶାଶୁ ଗତ ୩୦ ତାରିଖରେ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ନବଜାତ ଶିଶୁ ଚୋରି ହୋଇଥିବା ନେଇ ଅଭିଯୋଗ ପରେ ଏହି ଘଟଣା ସାରା ଓଡିଶାରେ ଆଲୋଡନ ସୃଷ୍ଟି କରିଥିଲା l
ଅଭିଯୋଗ ଆଧାରରେ ପୋଲିସ ଏବଂ ମେଡିକାଲ ଟିମ ଦିନ ତମାମ ନୟାନ୍ତ ହୋଇଥିଲେ l ହେଲେ CCTV ଶେଷରେ ସବୁ ରହସ୍ୟର ପର୍ଦାଫାଶ କରିଥିଲା l ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡିଥିଲା l ମେଡିକାଲରେ ସେ ପ୍ରସବ କରିନଥିଲେ କିମ୍ବା ପିଲା ଚୋରି ହୋଇନଥିଲା ବୋଲି ମେଡିକାଲ କର୍ତ୍ତୃପକ୍ଷ ଏବଂ ପୋଲିସ ସ୍ପଷ୍ଟ କରିଥିଲା l ମେଡିକାଲ ବଦନାମ୍ ହେଉଥିବାରୁ ପରେ ଦମ୍ପତି ଓ ଶାଶୁଙ୍କ ବିରୋଧରେ ମେଡିକାଲ କର୍ତ୍ତୃପକ୍ଷ ରଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜ୍ଜୁ କରିଥିଲା l ମାମଲା ରୁଜୁ ହେବା ପରେ କାର୍ଯ୍ୟାନୁଷ୍ଠାନ ଭୟରେ ସତ କହିଛନ୍ତି ଅଭିଯୋଗକାରୀ ଦମ୍ପତି l ନିଜର କୌଣସି ସନ୍ତାନ ହେଉନଥିବାରୁ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ l ଲୋକ ଲଜ୍ଜା ଓ ମାନସିକ ଭାରସାମ୍ୟ ହରାଇ ଅଭିଯୋଗ କରିଥିବାରୁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି l