ବଡ଼ ଠାକୁର ପଡିଯିବା ଘଟଣାରେ ବାଡଗ୍ରାହୀଙ୍କ ପ୍ରତିକ୍ରିୟା: ନୀତି କାନ୍ତିରେ ବିଭ୍ରାଟ, ଭୋକ ଉପାସରେ ଥିଲେ ମହାପ୍ରଭୁ

ପୁରୀ : ଆଡ଼ପ ପହଣ୍ଡି ବେଳେ ଚାରମାଳ ଉପରେ ପ୍ରଭୁ ବଳଭଦ୍ର ହାମୁଡେଇ ପଡିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର । ସେ କହିଛନ୍ତି ଏଭଳି ଘଟଣା ତାଙ୍କ ଜୀବନକାଳ ଭିତରେ କେବେ ଘଟିନଥିଲା । ବାହୁଡା଼ ଯାତ୍ରାରେ ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ରହିଲେ ପହଣ୍ଡିରେ ବିଭ୍ରାଟ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ମହାପ୍ରଭୁଙ୍କ ନୀତି କାନ୍ତିରେ ବିଭ୍ରାଟ ହୋଇଛି। ବର୍ଷବର୍ଷର ପରମ୍ପରାକୁ ଭାଙ୍ଗି ନୀତିକାନ୍ତି ହୋଇଛି । ଅଣସର ଘରେ ସେନାପଟା ଲାଗି ହୋଇଛି । ହଜାର ହଜାର ବର୍ଷର ରଥ ଆଜ୍ଞାମାଳ ବିଧିକୁ ବି ଭାଙ୍ଗି ଦିଆଯାଇଛି । ଭୋକ ଉପାସରେ ଠାକୁରଙ୍କୁ ପହଣ୍ଡି କରି ଅଣାଯାଇଛି। ପ୍ରତିପଦ ବଦଳରେ ଦ୍ବିତୀୟାରେ ହୋଇଛି ନେତ୍ରୋତ୍ସବ ଓ ନବଯୌବନ ନୀତି ହୋଇଛି ବୋଲି ହଳଧର ଦାସ ମହାପାତ୍ର କହିଛନ୍ତି ।
ଏହା ମଧ୍ୟ କହିଛନ୍ତି ନବଯୌବନ ବେଶ ଓ ଶ୍ରୀଗୁଣ୍ଡିଚା ଯାତ୍ରାର ଅନେକ ନୀତିକୁ କାଟି ଦିଆଗଲା । ପାଲଟା ବସ୍ତ୍ର ପିନ୍ଧି, ଭୋକ ଉପାସରେ ଠାକୁରଙ୍କୁ ଜୋର ଜବରଦସ୍ତ ରଥକୁ ପହଣ୍ଡି କରି ଅଣାଗଲା । ଯାହାର ପରିଣାମ ଶ୍ରୀଗୁଣ୍ଡିଚା ଯାତ୍ରା ଦିନଠାରୁ ଦେଖିବାକୁ ମିଳିଲା । ରଥ ଉପରେ ମାଳ ମାଳ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନର କୋହଳ ମନୋଭାବ ଯୋଗୁ ଆଡପ ପହଣ୍ଡି ସମୟରେ ଏତେ ବଡ ଅଘଟଣ ଘଟିଗଲା ବୋଲି ସେ କହିଛନ୍ତି।
ପ୍ରଭୁ ବଳଭଦ୍ରଙ୍କ ରଥ ଉପରେ ଅନଧିକୃତ ବା ପାଳି ନଥିବା ସେବାୟତ ମାନେ ରଥ ଉପରେ ରହିଥିଲେ । ପହଣ୍ଡି ସମୟରେ ଯେତିକି ସଂଖ୍ୟକ ସେବାୟତଙ୍କ ଆବଶ୍ୟକତା ରହିଛି ତା ଠାରୁ ଅଧିକ ସେବାୟତ ରହିବା ଦ୍ବାରା ପହଣ୍ଡିରେ ଏତେ ବଡ ଅଘଟଣ ଘଟିଗଲା । ପ୍ରଭୁ ବଳଭଦ୍ର ଚାରମାଳ ଉପରେ ହାମୁଡେଇ ପଡିଯିବା ଏକ ପ୍ରକାର ଅଶୁଭ ସଙ୍କେତ ବୋଲି ବାଡଗ୍ରାହୀ ହଳଧର ଦାସ ମହାପାତ୍ର କହିଛନ୍ତି । ବାହୁଡ଼ା ଯାତ୍ରା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏ ସବୁ ଦିଗରେ ବିଶେଷ ଧ୍ୟାନ ଦେବାର ନିହାତି ଆବଶ୍ୟକ ବୋଲି କହିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ।