ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ନୀତି, ଶୀତବସ୍ତ୍ର ପରିଧାନ କରିବେ ଶ୍ରୀଜିଉ

ପୁରୀ : ଶୀତ ପ୍ରକୋପ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ନୀତି ହେବ ।  ଆସନ୍ତାକାଲି ଶନିବାର ମାର୍ଗଶୀର ମାସ ଶୁକ୍ଳ ଷଷ୍ଠୀ ।  ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଓଢ଼ଣଷଷ୍ଠୀ ପର୍ବ ।  ଶୀତବସ୍ତ୍ର ପରିଧାନ କରିବେ ଶ୍ରୀଜିଉ ।

ଆଜି ମହାପ୍ରଭୁଙ୍କୁ ଲାଗି ହେବାକୁ ଥିବା ଘୋଡ଼ ଅଧିବାସ ନୀତି ସମ୍ପାଦନ ହେବ  ।  ଏଣୁ ଶ୍ରୀମନ୍ଦିରର ଦର୍ଜି ସେବକଙ୍କ ଦ୍ୱାରା ଶୀତବସ୍ତ୍ର ପ୍ରସ୍ତୁତ ସରିଛି ।  ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ୪ଟି ଘୋଡ଼ ସହ ଘୋଡ଼ଲାଗି ବେଶ ପାଇଁ ଖଟ ପାଛୋଡ଼ି, ତୁଳିପଟା, ଥୋଡ଼ ପାହାଡ଼ିଆ, ଫୁଲଛେଦା ଆଦି ତିଆରି କରାଯାଉଛି ।  ପତନୀ, ଗୀତଗୋବିନ୍ଦ ପାଟ ଓ ସୂତାପୁଟାରେ ଠାକୁରଙ୍କ ନୂତନ ବସ୍ତ୍ର ତିଆରି କରାଯାଇଛି  ।

ଏଥିସହିତ ମଦନମୋହନ, ସୁଦର୍ଶନ, ଗରୁଡ଼, ପତିତପାବନ, ଗୁଣ୍ଡିଚାମନ୍ଦିରରେ ବିରାଜିତ ନୃସିଂହ ମହାପ୍ରଭୁ, ସୂର୍ଯ୍ୟଦେବ, ମୁକ୍ତିମଣ୍ଡପ ପାର୍ଶ୍ବରେ ବିରାଜିତ ନୃସିଂହ, ଦକ୍ଷିଣକାଳୀକା ଓ କାକୁଡ଼ିଖାଇ ଠାକୁରାଣୀଙ୍କ ପାଇଁ ମଧ୍ୟ ପୋଷାକ ତିଆରି କରାଯାଏ  ।

ପଞ୍ଚମୀ ରାତିରେ ଚନ୍ଦନଲାଗି ପରେ ତିନି ଠାକୁରଙ୍କ ପାଇଁ ଘୋଡ଼ ୨୧ଟି ସହିତ ବିମଳା, ସରସ୍ୱତୀ, ମହାଲକ୍ଷ୍ମୀ ତଥା ମଦନମୋହନଙ୍କ ଘୋଡ଼ ଅଧିବାସ ହୋଇ ରହିବ ।  ଷଷ୍ଠୀରେ ଠାକୁରଙ୍କୁ ଘୋଡ଼ ଲାଗି କରାଯାଏ  । ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଏହି ଘୋଡ଼ ଲାଗି ନୀତି ସମ୍ପନ୍ନ ହେବ ।