ପାଲା ସଂସ୍କୃତିକୁ ଭଲ ପାଉଥିବା ଗାଁ ଯାଜପୁର ଜିଲ୍ଲାର ଅରେଇ

ଯାଜପୁର ଟାଉନ (କେନ୍ୟୁଜ୍) :  ପ୍ରାଚୀନ କାଳରେ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ ଜାଗ୍ରତ କରିବା ଓ ସାମାଜିକ ସଚେତନତା ସୃଷ୍ଟି କରିବା ପାଇଁ ଏକ ମାତ୍ର ମାଧ୍ୟମ ଥିଲା ପାଲା । କିନ୍ତୁ ଆଧୁନିକତାର ପ୍ରଭାବରେ ଦିନକୁ ଦିନ ଏହି ପାଲା ସଂସ୍କୃତି ହଜିଯିବାକୁ ବସିଲାଣି । କିନ୍ତୁ ଏହି ପାଲା ସଂସ୍କୃତିକୁ ଚିରକାଳ ବଂଚାଇ ରଖିବାକୁ ପ୍ରୟାସ ଜାରି ରଖିଛନ୍ତି ଯାଜପୁର ଜିଲ୍ଳା ଅରେଇ ଗ୍ରାମବାସୀ ।

PALA-2

ଗାଁରେ ହେଉଥିବା ଲକ୍ଷ୍ମୀପୂଜା ସମୟରେ ଗତ ୬୯ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଏହି ପାଲା ମହୋତ୍ସବ ଆୟୋଜନ କରିଆସୁଛନ୍ତି ଗ୍ରାମବାସୀ । ଚଳିତ ବର୍ଷ ୫ ଦିନ ଧରି ଅନୁଷ୍ଠିତ ହେଉଛି ପାଲା ମହୋତ୍ସବ । ଯେଉଁଥିରେ ରାଜ୍ୟର ପ୍ରତିଷ୍ଠିତ ପାଲା ଗାୟକମାନେ ନିଜର କଳା ପ୍ରଦର୍ଶନ କରୁଛନ୍ତି । ପାଲା ସଂସ୍କୃତିକୁ ବଂଚାଇ ରଖିବା ପାଇଁ ଅରେଇ ଗ୍ରାମବାସୀ ଓ ସାଂସ୍କୃତିକ ଅନୁଷ୍ଠାନ ପୂଣ୍ୟ ଉତ୍କଳର ନିଆରା ପଦକ୍ଷେପ ।

PALA-3

ପ୍ରତି ବର୍ଷ ଲକ୍ଷ୍ମୀପୂଜା ଆସିଲେ ବିଭିନ୍ନ ଆଡୁ ବନ୍ଧୁ ବାନ୍ଧବଙ୍କ ସୁଅ ଛୁଟେ ଏହି ଗାଁକୁ । ବର୍ତମାନ ଚଳଚ୍ଚିତ୍ର ଓ ଆଧୁନିକ ଯାତ୍ରା ଚାରିଆଡେ ହେଉଥିବା ବେଳେ ପାଲା ଦେଖିବାର ସୁଯୋଗକୁ କେହି ହାତ ଛଡା କରିନଥାନ୍ତି । ବିଶେଷ କରି ଏହି ପାଲା ମହୋତ୍ସବ ଫଳରେ ଅନେକ ଆଧ୍ୟାତ୍ମିକ ବିଷୟ ଆଲୋଚନା ଏବଂ ଶିକ୍ଷଣୀୟ କଥା ଶୁଣିବାର ସୁଯୋଗ ମିଳିଥାଏ ଶ୍ରୋତା ଓ ଦର୍ଶକଙ୍କୁ । ସେଥିପାଇଁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଶ୍ରୋତାମାନେ ପାଲାର ମଜା ନେଉଥିବାର ଦେଖିବାକୁ ମିଳେ ।

PALA-4

ଚଳିତ ବର୍ଷ ଏହି ପାଲା ମହୋତ୍ସବକୁ ସ୍ଥାନୀୟ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ପ୍ରମିଳା ମଳ୍ଲିକ ଉଦଘାଟନ କରିଥିଲେ । ଏଥର ୧୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ପାଲା ଦଳ ଅଂଶଗ୍ରହଣ କରିଛନ୍ତି । ଚଳିତ ବର୍ଷ ସାଂସ୍କୃତିକ ଅନୁଷ୍ଠାନ ପୂଣ୍ୟ ଉତ୍କଳ ପକ୍ଷରୁ ମଧ୍ୟ ବିଭିନ୍ନ ସଂସ୍କୃତି ସୁରକ୍ଷା ସଂପର୍କିତ ଆଲୋଚନାଚକ୍ରର ଆୟୋଜନ କରାଯାଇଛି । ଏଠାକାର ପାଲାମଣ୍ଡପରେ ପାଲା ପରିବେଶଣ କରାଯାଇଥାଏ । ପାଲା ମହୋତ୍ସବର ଉଦଘାଟନ ଅବସରରେ ପାଲା କଳାକାରଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା ।