ଜୀବନ ଜୀବିକା ମଝିରେ ବାଧକ ସାଜିଛି ବାଘ ନଦୀ: କାଠ ଗଣ୍ଡିରେ ବାଜି ଲାଗିଛି ଆଠ ଶହ ଜୀବନ

ଫୁଲବାଣୀ: ଏପଟେ ଜୀବନ ସେପଟେ ଜୀବିକା । ମଝିରେ ବାଘ ନଦୀ। କାଠ ଗଣ୍ଡିର ପୋଲ ହିଁ ସାଜିଛି ସାହା ଭରସା । ଯେତେ ଗୁହାରୀ ପରେ କିଛି ସୁଫଳ ନମିଳିବାରୁ ଜୀବନ ଓ ଜୀବିକାକୁ ପାଥେୟ କରି ନିଜ ବୁଦ୍ଧି ବଳରେ ତିଆରି କରିଛନ୍ତି ଦୁଇଟି କାଠ ଗଣ୍ଡିର ପୋଲ । ନିଜ ଗାଁ ରୁ ଅନ୍ୟ ଗୋଟିଏ ଗାଁ କୁ ଯିବା ଆସିବା କରନ୍ତି ଏହି ଆଦିବାସୀ ଇଲାକାର ଲୋକମାନେ ।

ଏ ହେଉଛି କନ୍ଧମାଳ ଜିଲ୍ଲାର ଦୃଶ୍ୟ। ଆଦିବାସୀ ଅଧ୍ଯୁଷିତ ଉପାନ୍ତ ଅଞ୍ଚଳ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାଙ୍ଗା ପଞ୍ଚାୟତର ମାର୍କାଲି ଗ୍ରାମ । ଏହି ଗ୍ରାମରେ ପ୍ରାୟତଃ ୭୦୦ରୁ ୮୦୦ ପରିବାର ବସବାସ କରନ୍ତି । ଏମାନଙ୍କ ପାଇଁ ଗମନା ଗମନ କହିଲେ ଦୁଇଟି କାଠ ଗଣ୍ଡି ।  କହିବାକୁ ଗଲେ ବାଘ ନଦୀରେ ପାଣି ଆସିଲେ ଏହି ଗ୍ରାମବାସୀଙ୍କ ନିଦ ହଜିଯାଏ। ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ ଏମାନଙ୍କର । ନଦୀ ଏପାଖେ ଜୀବନ ଆଉ ନଦୀ ସେପାଖେ ଜୀବିକା । ମଝିରେ ବାଧକ ସାଜେ ବାଘ ନଦୀର ପ୍ରଖର ଜଳ ସ୍ରୋତ । ଏମିତି ଅସୁବିଧା ରେ ଜୀବନ କାଟୁଛନ୍ତି ପାଙ୍ଗା ପଞ୍ଚାୟତର ୮ ନମ୍ବର ଓ ୯ ନମ୍ବର ୱାର୍ଡର ଗ୍ରାମବାସୀ ।

poloଗମନାଗମନ ହେଉ କି ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉ ସବୁଥିରେ ସତେ ଯେମିତି ପୂର୍ଣ୍ଣଛେଦ ପଡି ରହିଛି ଏହି ମାର୍କାଲି ଗ୍ରାମବାସୀଙ୍କ ଜୀବନରେ । ନିଜ ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳାଟି ଯାଇପାରେ ନାହିଁ ମେଡ଼ିକାଲକୁ । ପିଲାମାନଙ୍କ ପାଠ ପଢ଼ା ପାଇଁ ଏବଂ ଗାଁର ବୁଢା ବୁଢ଼ୀ ମାନେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯାଇପାରନ୍ତି ନାହିଁ ପାଙ୍ଗା ପଞ୍ଚାୟତ।  ଗାଁକୁ ପୋଲଟିଏ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଗ୍ରାମବାସୀ । ସ୍ଥାୟୀ ପୋଲଟିଏ ନିର୍ମାଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସରକାର ଙ୍କୁ ଅନୁରୋଧ କରିଛନ୍ତି ଏଠାକାର ଗ୍ରାମବାସୀ ଓ ସ୍ଥାନୀୟ ପାଙ୍ଗା ପଞ୍ଚାୟତର ସରପଞ୍ଚ । ଏହି ପୋଲ ନିର୍ମାଣ ବାବଦରେ ଆମେ ସ୍ଥାନୀୟ ଫିରିଙ୍ଗିଆ ବ୍ଲକ ପ୍ରଶାସନଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ପ୍ରଶାସନ ଏହି ବିଷୟରେ କୌଣସି ଉତ୍ତର ଦେଇ ନାହାନ୍ତି ।

Leave A Reply

Your email address will not be published.