ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ ! ଆଜି ଦକ୍ଷିଣ ମୋଡ଼ ହେବ ରଥ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଥିବା ତିନି ରଥର ଆଜି ଦକ୍ଷିଣ ମୋଡ଼ କରାଯିବ। ୩ ରଥକୁ ଟଣାଯାଇ ଆଜି ନାକଚଣା ଦ୍ୱାର ସମ୍ମୁଖକୁ ଅଣାଯିବ। ପରମ୍ପରା ରହିଛି ମହାପ୍ରଭୂ ସିଂହଦ୍ୱାର ଦେଇ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରୁଥିବା ବେଳେ ନାକଚଣ ଦ୍ୱାର ଦେଇ ପ୍ରସ୍ଥାନ କରିଥାନ୍ତି। ସକାଳ ଧୂପ ସରିବା ପରେ ରଥକୁ ମହାପ୍ରଭୂଙ୍କ ଆଜ୍ଞାମାଚ଼ ବିଜେ କରାଯାଇଥାଏ। ଏହାପରେ ଆରମ୍ଭ ହୁଏ ୩ରଥର ଦକ୍ଷିଣ ମୋଡ। ପ୍ରଥମେ ସୁଭଦ୍ରାଙ୍କ ରଥ ଟଣାଯିବା ପରେ ତାଳଧ୍ୱଜ ଶେଷରେ ନନ୍ଦିଘୋଷ ରଥ ଟଣାଯିବା ପରମ୍ପରା ରହିଛି। ଏହାସହିତ ଆରମ୍ଭ ହୁଏ ବାହୁଡ଼ା ପ୍ରସ୍ତୁତି ।

ଏହାପୂର୍ବରୁ ଗତକାଲି ପବିତ୍ର ହେରାପଞ୍ଚମୀରେ ଅଭିମାନିନୀ ମାଆ ମହାଲକ୍ଷ୍ମୀ ଭାଙ୍ଗିଲେ ନନ୍ଦିଘୋଷ ରଥ । ମାଆ ମହାଲକ୍ଷ୍ମୀ ପାଲିଙ୍କିରେ ଶ୍ରୀମନ୍ଦିରରୁ ବାହାରି ନନ୍ଦିଘୋଷ ରଥ ପାଖରେ ପହଞ୍ଚିବା ପରେ ଖଣ୍ଡେ ରଥକାଠ ଭାଙ୍ଗିବା ସହ ଘଷାବିଡ଼ା ଓ ଦହିପଟି ମଣୋହି କରାଯାଇଥିଲା । ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମହାଲକ୍ଷ୍ମୀ ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପବିତ୍ର ରଥଯାତ୍ରାରେ ପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥାଋୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିଥିବା ବେଳେ ମାଆ ଲକ୍ଷ୍ମୀଙ୍କୁ ସାଥିରେ ଆଣିନାହାନ୍ତି । ଏହାକୁ ନେଇ ଲକ୍ଷ୍ମୀ ଅଭିମାନ କରି ନନ୍ଦିଘୋଷ ରଥକାଠ ଭାଙ୍ଗି ଛନ୍ତି । ସେପଟେ ଜନ୍ମବେଦୀରେ ଏବେ ଚତୁର୍ଦ୍ଧାମୂର୍ତ୍ତି । କଡ଼ା ସୁରକ୍ଷା ଭିତରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କର ଦର୍ଶନ କରୁଛନ୍ତି । ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ବିଶ୍ୱାସ ରହିଛି, ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କର ଦର୍ଶନ କଲେ କୋଟି ପୁଣ୍ୟ ମିଳେ ।

Leave A Reply

Your email address will not be published.