ବାତ୍ୟା ପାଇଁ ପ୍ରସ୍ତୁତି, ଦିନ ୧୧ଟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ କରିବାକୁ ବାଲେଶ୍ବର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବାଲେଶ୍ଵର : ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ଓଡିଶା ଉପକୂଳର କେନ୍ଦ୍ରାପଡାର ଭିତରକନିକା ଓ ଭଦ୍ରକର ଧାମରା ମଧ୍ୟରେ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କରୁଛି ବାଲେଶ୍ବର ଜିଲ୍ଲା ପ୍ରଶାସନ । ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ । ବାତ୍ୟା ଆଶ୍ରୟ ସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ବାଲେଶ୍ବର ଜିଲ୍ଲାରେ ଅଢ଼େଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ବାଲେଶ୍ବର ଜିଲ୍ଲାପାଳ । ବାତ୍ୟା ଆଶ୍ରୟ ସ୍ଥଳକୁ ଆସୁଥିବା ଲୋକଙ୍କ ପାଇଁ ସବୁ ପ୍ରକାର ସୁବିଧା କରାଯାଇଛି । ଡାକ୍ତରୀ ଉପକରଣ ଏବଂ ଔଷଧ ମହଜୁଦ ରଖାଯାଇଛି । ଆଜି ୧୧ଟା ସୁଦ୍ଧା ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।
ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ଯା ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବାଲିଆପାଳ ବ୍ଲକରେ ୯୫ ଟି ବାତ୍ଯା ଆଶ୍ରୟସ୍ଥଳୀ କରାଯାଇ ଲୋକଙ୍କୁ ରଖାଯାଇ । ସମସ୍ତଙ୍କ ପାଇଁ ଶୁଖିଲା ଖାଦ୍ଯ ଏବଂ ରନ୍ଧା ଖାଦ୍ଯର ବ୍ଯବସ୍ଥା କରାଯାଇଛି। ବାଲିଆପାଳ ତହସିଲଦାର ଏବଂ ଥାନାଧିକାରୀ ରାତିରେ ବିଭିନ୍ନ ବାତ୍ଯା ଆଶ୍ରୟସ୍ଥଳୀ ଗସ୍ତ କରି ସ୍ଥିତି ଅନୁଧ୍ଯାନ କରିଛନ୍ତି।