ପାନଛେପରେ ଭର୍ତ୍ତି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କେବେ ବଦଳିବ ଲୋକଙ୍କ ମାନସିକତା
ବାଲେଶ୍ଵର : ପାନଛେପ ପାଇଁ ବଦନାମ ମୁଣ୍ଡଉଛି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଯେଉଁଠି ଦେଖିବ ସେଠି ପାନ ଛେପରେ ଭର୍ତ୍ତି । ସିଡି କୋଣ, ଝରକା କୋଣ ହେଉକି କାନ୍ଥ ବାଡ଼ । ପୁରା ପାନ ଛେପ ପକାଇ ପୁରା ରଙ୍ଗ ବଦଳାଇ ଦେଇଛନ୍ତି ରୋଗୀଙ୍କ ସମ୍ପର୍କୀୟ ମାନେ । ଏଣେ ବାଲେଶ୍ଵର ମେଡିକାଲର କଳେବର ବୃଦ୍ଧି ପରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ସେହି ଅନୁସାରେ ରୋଗୀଙ୍କ ସମ୍ପର୍କୀୟଙ୍କ ସଂଖ୍ୟା ବୃଦ୍ଧି ପାଇଛି ।
ଅପରପକ୍ଷେ ଏଭଳି ଅବସ୍ଥା ଯୋଗୁଁ ଅନେକ ସମୟରେ ମୁଖ୍ୟ ଚିକିତ୍ସାଳୟ ଅସ୍ୱାସ୍ଥ୍ୟକର ପରିବେଶ ଭଳି ମନେ ହେଉଥିବା ବେଳେ ସୁଇପର ମାନଙ୍କୁ ଥରେ ଥରେ ଜାଗାରେ ୫ ଥର ସଫା କରିବାକୁ ପଡୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ତେବେ ସବୁଠାରୁ ବଡ଼କଥା ହେଲେ କେବେ ଆଉ ବଦଳିବ ଲୋକଙ୍କ ମାନସିକତା । ଯେଉଁଠି ରୋଗୀଟିଏ ଲୋକେ ଭଲ କରି ଜୀବନ ବଞ୍ଚାଇବାକୁ ନେଇ ଆସୁଛନ୍ତି ସେଇଠି ହିଁ ଅପରିଷ୍କାର କରିଦେଉଛନ୍ତି । ଅନ୍ୟପଟେ ଖାଲି ସେତିକି ଲୋକଙ୍କ ସୁବିଧା ପାଇଁ ବ୍ୟବହୃତ ହେଉଥିବା ଶୀତଳ ଜଳ ମେସିନ ଗୁଡ଼ିକରେ ମଧ୍ୟ ଲୋକେ ଦାନ୍ତକାଠି , ଖାଇ ହାତ ଧୋଇବା ସହ ଟଏଲେଟ୍ ରେ ମଧ୍ୟ ଅବ୍ୟବହୃତ କପଡା ପକାଇ ଦେଉଛନ୍ତି ।
ଯାହା ଫଳରେ ବିଭିନ୍ନ ସମୟରେ ମେଡିକାଲ କର୍ତ୍ତୃପକ୍ଷ ଅଯଥାରେ ଦାୟୀ ହେଉଛି। ବର୍ତମାନ ଏସବୁ ସମସ୍ୟା କୁ ଦୂର କରିବା ପାଇଁ ମେଡିକାଲ କର୍ତ୍ତୃପକ୍ଷ ମେଡିକାଲ ସୁରକ୍ଷା କର୍ମୀଙ୍କ ଦ୍ଵାରା ଲୋକଙ୍କ ଠାରୁ ପାନ, ବିଡ଼ି, ଗୁଟଖା , ଦୁକ୍ତା ଆଦି ପାନମାସଲକୁ ଜବତ କରିବାରେ ନିୟୋଜିତ କରୁଛନ୍ତି । ସୁରକ୍ଷା କର୍ମୀମାନେ ଯେଉଁ ଲୋକଙ୍କୁ ସନ୍ଦେହ ହେଉଛି ସେହି ଲୋକଙ୍କ ପାଖକୁ ଯାଇ ପାନ ମସଲା ଓ ଗୁଟଖାକୁ ଜବତ କରୁଛନ୍ତି ।