ଆରମ୍ଭ ହେଲା ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ

ଭୁବନେଶ୍ବର(କେନ୍ୟୁଜ୍): ଆରମ୍ଭ ହୋଇଛି ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ। ଗତକାଲିଠାରୁ ଜରିପାଟଣାସ୍ଥିତ କୁଆଖାଇ ନଦୀପଠାରେ ଆରମ୍ଭ ହୋଇଛି ଭୁବନେଶ୍ବର ବାଲିଯାତ୍ରା। ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ଜନମାନସରେ ଉଜ୍ଜୀବିତ ରଖିବାରେ ଆୟୋଜକ ଅନୁଷ୍ଠାନର ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଏହି ବାଲିଯାତ୍ରାକୁ ସୁଦୂରପ୍ରସାରୀ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥି‌ଲେ।

ପ୍ରଥମ ଦିନରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ବ ଷ୍ଟଲ୍ ଖୋଲିଥିବା ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ ବୋଲି ଆୟୋଜକ କମିଟି ଆଶା ରଖିଛି। ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ସହ ଗୃହୋପକରଣ ସାମଗ୍ରୀ, ଖେଳଣା, ମାଟିପାତ୍ର, ରାଜ୍ୟ ସରକାରଙ୍କ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ସାମଗ୍ରୀ, ପୋଷାକ, ସମ୍ବଲପୁରୀ ଶାଢ଼ି ଆଦି ନାନାଦି ଜିନିଷର ପସରା ଦେଖିବାକୁ ମିଳିଥିଲା। ସେହିଭଳି ଆସୁଥିବା ଲୋକମାନେ ଦୋଳିର ଭରପୂର୍‌ ମଜା ଉଠାଇଥିଲେ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏହି ବାଲିଯାତ୍ରା ଚାଲିବାକୁ ଥିବା ବେଳେ ପ୍ରତି ସଂଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ସଂଗୀତ ପରିବେଷଣ ସହ ପାରମ୍ପରିକ ଲୋକନୃତ୍ୟର ଆସର ଜମିବ ବୋଲି ସୂଚନା ମଳିଛି।

ଏହି ଉଦ୍‌ଘାଟନୀ ଉତ୍ସବ ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବାବେଳେ, ଏଥିରେ ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର୍‌ ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ଓଡ଼ିଶା-ମୋ’ ପରିବାରର ଆବାହାକ ଅରୂପ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର, ସାଧାରଣ ସମ୍ପାଦକ ତପନ ବଳିୟାରସିଂହ, ଉପସଭାପତି ନବକିଶୋର ବାରିକ, ଆବାହକ ଯଶୋବନ୍ତ ଓଝା, ପ୍ରତିଷ୍ଠାତା ସଭାପତି ଅଭୟ ବଡ଼ଜେନା ଓ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ। ଉପସ୍ଥାପକ ମତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ।

Leave A Reply

Your email address will not be published.