ମେଡିକାଲ ଛାତ୍ର ଇଫୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ସାବାସୀ ସହ ଭେଟି ଦେଲେ ନୂଆ ମୋବାଇଲ୍‌ ଓ ବହି

ଭୁବନେଶ୍ୱର (କେନ୍ୟୁଜ୍‌) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କୁ ଆଜି ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରେ ଇଫୁ ଭେଟିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିଭାର ଉଚ୍ଚ ପ୍ରଶଂସା କରିଥିଲେ ।

ନିଟ୍ ପରୀକ୍ଷାରେ କୃତିତ୍ବ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଇଫୁ ମଲ୍ଲିକ । ଆଜି ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଏହା ସହିତ ଆଗକୁ ଉଦ୍ୟମ ଜାରି ରଖି ଦେଶବାସୀଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରେରଣା ଦେଇଥିଲେ। ଏହି ଅବସରରେ ନବୀନ ଇଫୁଙ୍କ ସହିତ ସେଲ୍ଫି ଉଠାଇବା ସହିତ ଏକ ପୁସ୍ତକ ଏବଂ ନୂଆ ମୋବାଇଲ୍‌ ମଧ୍ୟ ଉପହାର ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଇଫୁ ମଲ୍ଲିକ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଜଣେ ଗରିବ ଆଦିବାସୀ ଯୁବକ। ନିଜର ପ୍ରତିଭା ଓ ଉଦ୍ୟମ ଯୋଗୁ ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ମେଡିକାଲ ପଢିବା ପାଇଁ ନିଜର ନିଷ୍ଠା ଜାରି ରଖି ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । କିନ୍ତୁ ଅର୍ଥାଭାବ ଯୋଗୁ ତାଙ୍କର ଏ ଆଶା ପୂରଣ ହେବା ନେଇ ସନ୍ଦେହରେ ଥିଲେ ।

ସାମାଜିକ ଗଣମାଧ୍ୟମରୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମେଡିକାଲ ପଢିବା ପାଇଁ ଆବଶ୍ୟକ ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ଆଉ ମଧ୍ୟ ଇଫୁଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଇଫୁଙ୍କ ସହିତ ଫୋନ୍ ଯୋଗେ କଥାବାର୍ତ୍ତା ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅନୁସୂଚୀତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ତରଫରୁ ତାଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇଥିଲା ।

UFO-2

ଆଜି ଇଫୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ଅତ୍ୟନ୍ତ ଭାବବିହ୍ବଳ ହୋଇ ପଡ଼ିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରି ଧନ୍ୟବାଦ ଜଣାଇଥିଲେ। ଏହି ସାକ୍ଷାତ ସମୟରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ।

CM