ଶାଢି ପାରି କଳସ ଯାତ୍ରା କଲେ ଗାଁ ଲୋକେ, ଏମିତି ଥିଲା ମା’ ବନଦୁର୍ଗା ବାର୍ଷିକ ପୂଜା ଉତ୍ସବର ଦୃଶ୍ୟ 

ଚାଲିଛି ପବିତ୍ର ବେଦ ମନ୍ତ୍ର ଉଚ୍ଚାରଣ । ହରି ନାମ ସାଙ୍ଗକୁ ମନ୍ତ୍ର ଉଚ୍ଚାରଣରେ ଗୁଞ୍ଜରିତ ହୋଇ ପଡ଼ିଛି ଉତ୍ସବ ସ୍ଥଳ । ପବିତ୍ର ହୋମ ନିଆଁ ଯୋଗୁ ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ । ବ୍ରାହ୍ମଣ ପଣ୍ଡିତଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁଙ୍କ ପର୍ଯ୍ୟନ୍ତ ସମସ୍ତେ ବିଭୂ ପ୍ରେମରେ ହୋଇ ପଡ଼ିଛନ୍ତି ଏକାକାର । ନିଜର ମଥାପାତି ଭଗବାନଙ୍କ ପ୍ରଣାମ କରି ନିଜର ତଥା ସମସ୍ତ ଙ୍କ ମଙ୍ଗଳ କାମନା କରୁଛନ୍ତି ଉପସ୍ଥିତ ଶ୍ରଦ୍ଧାଳୁମାନେ। ଏ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ପିପିଲି ବ୍ଲକ ବନ୍ତଳସିଂହ ଗ୍ରାମର । ଗ୍ରାମର ଆରାଧ୍ୟ ଠାକୁର ମା’ ବନଦୁର୍ଗା ବାର୍ଷିକ ପୂଜା ଉତ୍ସବ ଅବସରରେ ଏଭଳି ଆୟୋଜନ କରାଯାଇଥିବାର ଗ୍ରାମବାସୀ କୁହନ୍ତି। ତେବେ ରାଜ୍ୟ ତଥା ସ୍ଥାନୀୟ ଅଞ୍ଚଳରେ ସୁଖ ଶାନ୍ତି ଓ ଏକତା ପ୍ରତିଷ୍ଠା ସୃଷ୍ଟି କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଆୟୋଜକ।

ପ୍ରତିବର୍ଷ ଠାକୁରଙ୍କର ବିଭିନ୍ନ ପର୍ବପର୍ବାଣୀ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଗ୍ରାମର ଆରାଧ୍ୟ ଠାକୁରାଣୀ ମା’ ବନଦୁର୍ଗାଙ୍କ ପୀଠରେ ବିଶ୍ୱକଲ୍ୟାଣ ଯଜ୍ଞର ଆୟୋଜନ କରାଯାଇଥିଲା। ଏ ଅବସରରେ ଚଳ ଚଞ୍ଚଳ ହୋଇ ଉଠିଥିଲା ବନ୍ତଳସିଂହ ଗାଁ ।  ଦୀର୍ଘ ତିନିଦିନ ଧରି ଆୟୋଜିତ ହୋଇଥିଲା ଘୃତ ଯଜ୍ଞର ଆୟୋଜନ । ଗ୍ରାମବାସୀ ଗାଁ ଆରମ୍ଭରେ ଥିବା ପୁଷ୍କରିଣୀରୁ କଳସ ଉଠାଇଥିଲେ । କଳସ ଯାତ୍ରା ଆସିବା ସମୟରେ ଭିନ୍ନ ଏକ ପରିବେଶ ଦେଖିବାକୁ ମିଳିଥିଲା । ଗ୍ରାମର ମହିଳାମାନେ ନୂଆ ବସ୍ତ୍ର ଗାଁ ଦାଣ୍ଡରେ ପକାଇଥିଲେ। ଏହା ଉପରେ ମା’ ବନଦୁର୍ଗାଙ୍କ ସହିତ କଳସଧାରୀ ପାଦ ପକାଇ ଯାଇଥିଲେ। ନୂଆ ବସ୍ତ୍ରକୁ ଠାକୁର ସ୍ପର୍ଶ କରିବା ପରେ ସେହି ଶାଢୀକୁ ପରିଧାନ କଲେ ମାନସିକଧାରୀଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେପଟେ ଠାକୁରଙ୍କ ଯଜ୍ଞ ଉତ୍ସବ ଶେଷ ନ ହେବା ପର୍ଯ୍ୟନ୍ତ ଗ୍ରାମରେ ଆମିଷ ପ୍ରବେଶ ହୋଇ ନଥାଏ । ସମସ୍ତେ ହବିଷାନ୍ନ ଭକ୍ଷଣ କରି ରହିଥାନ୍ତି । ଏହି ଉତ୍ସବ ସେମାନଙ୍କର ମୁଖ୍ୟ ଉତ୍ସବ ବୋଲି ସେମାନେ କହିଥିବା ବେଳେ ଏଥିରେ ସାମିଲ ହୋଇ ଭଗବାନଙ୍କ ସାନିଧ୍ୟ ପାଇବା ସହିତ ଭଗବତ ପ୍ରେମରେ ତଲିନ ହୋଇଥିବାର ଶ୍ରଦ୍ଧାଳୁମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.