ବିରଜାଙ୍କ ରଥ ପାଇଁ ସୁନିଆରୁ ସରିଲା ବନଯାଗ ଯାତ୍ରା

ଧରାପୃଷ୍ଠକୁ ଅବତରଣ କରିବେ ମା’ । ଏଥିପାଇଁ ଚଳଚଂଚଳ ହେଲାଣି ଶକ୍ତିପୀଠ। ମା’ ଙ୍କ ଆଗମନି ପାଇଁ ଚାଲିଛି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା। ଏଠାରେ ଦେବୀ ଦ୍ୱିଭୁଜା ଦୁର୍ଗା ରୂପରେ ପୂଜା ପାନ୍ତି । ମାଆ ପ୍ରତିଦିନ ଷୋଡଶ ଉପଚାରରେ ସକାଳ, ମଧ୍ୟାହ୍ନ ଏବଂ ସନ୍ଧ୍ୟା ସମୟରେ ପୂଜା ପାଆନ୍ତି। । ଦେବୀଙ୍କ ସମସ୍ତ ଉତ୍ସବ ମଧ୍ୟରେ ଶାରଦୀୟ ଷୋଡଶ ଦିନାତ୍ମକ ଦୁର୍ଗା ପୂଜା ଅନ୍ୟତମ।

ପବିତ୍ର ସୁନିଆରୁ ମା’ ବିରଜାଙ୍କ ଶାରଦୀୟ ପୂଜାର ଶୁଭାରମ୍ଭ ହୋଇଛି। ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ତଥା ବିଲ୍ଵବରୁଣ ପୂଜା ଲାଗି ବନଯାଗ ଯାତ୍ରା ଅନୁଷ୍ଠିତ ହୋଇଛି । ଏଥିଲାଗି ନବାଙ୍କ ପୂଜା କରାଯାଇ ସାରଣୀ ଲେଖା ସହ ଷୋଡଶ ଉପଚାର ଲାଗି ନିୟୋଜିତ ସେବାୟତ ମାନଙ୍କୁ ବରଣୀ କରାଯାଇଛି । ସଂଧ୍ୟାରେ ବଳି ମଣ୍ଡପରେ ବିଧି ମୂତାବକ ସାବିତ୍ରୀ ଓ ସରସ୍ୱତୀଙ୍କ ଆହ୍ଵାନରେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଛି ।

ପରମ୍ପରା ଅନୁସାରେ ପୂଜା ପରେ ଦେବୀଙ୍କ ସିଂହଧ୍ୱଜ ରଥ ନିର୍ମାଣ ଲାଗି ଚିହ୍ନଟ ବେଲ ଗଛ କଟା ଯିବାର ପରମ୍ପରା ରହିଛି । ଚଳିତ ବର୍ଷ ପାରମ୍ପରିକ ରୀତି ନୀତି ଅନୁଯାୟୀ ହାଟପାଟଣା ଗ୍ରାମର ବୃନ୍ଦାବନ ସେନାପତିଙ୍କ ବାଡିରୁ କାଠ ସଂଗ୍ରହ କରାଯାଇଛି । ସୁନିଆ ପର ଦିନ ଠାରୁ ମା’ ଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି ବୋଲି ମୁଖ୍ୟ ସେବାୟତ କହିଛନ୍ତି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ କାର୍ଯ୍ୟର ସୁବନ୍ଦୋବସ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.