ଭୁବନେଶ୍ୱରରେ ଆୟୋଜିତ ଟ୍ରାଇବାଲ ଗ୍ଲୋବାଲ ଫେଷ୍ଟରେ ଚମକିଲେ ବଣ୍ଡା ଝିଅ
ମାଲକାନଗିରି: ବଣ ମଲ୍ଲୀ ଆଉ ବଣ ଭିତରେ ଫୁଟି ଝଡି ଯାଉନି ବରଂ ତାର ମହକରେ ଏବେ ସାରା ଓଡିଶାକୁ ମହକାଉଛି । ବଣ ମଲ୍ଲୀ ବଣରେ ଫୁଟି ଝଡ଼ିବା ପ୍ରବାଦଟି ଭୁଲ୍ ପ୍ରମାଣିତ କରିଛନ୍ତି ଜଣେ ଯୁବତୀ । ସତରେ ମଣିଷକୁ ଜନ୍ମ ଦିଅନ୍ତି ଭଗବାନ । ହେଲେ ନିଜ କର୍ମ ଅନୁସାରେ ପରିଚୟ ପାଏ ମଣିଷ । ତେବେ ସବୁ ମଣିଷ ଠାରେ ଥାଏ କିଛି ନା କିଛି ପ୍ରତିଭା । ଯିଏ ନିଜ ପ୍ରତିଭାକୁ ନେଇ ଆଗକୁ ବଢେ ସେ ହିଁ ପାଏ ସଫଳତା ।
ସେହିପରି ମାଲକାନଗିରି ଜିଲ୍ଲା ଆଦିମ ଜନଜାତି ବଣ୍ଡା ଘାଟିରୁ ଜଣେ ବଣ ମଲ୍ଲୀର ମହକ ଆଜି ସାରା ଓଡିଶାକୁ ବିମୋହିତ କରିଛି । ଭୁବନେଶ୍ୱର ଠାରେ ଅନୁଷ୍ଠିତ ଟ୍ରାଇବାଲ ଗ୍ଲୋବାଲ ଫେଷ୍ଟରେ ଚମକିଛନ୍ତି ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିର ଆଦିମ ଜଣଜାତିର ଝିଅ ଆଦିବାରୀ ବଡ଼ନାୟକ । ଯାହାକୁ ନେଇ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ସାରା ମାଲକାନଗିରି ଜିଲ୍ଲା ପାଇଁ ଏହା ଏକ ଗର୍ବର ବିଷୟ ବୋଲି କୁହାଯାଇଛି ।
ସୂଚନା ଅନୁଯାୟୀ ୧୦ ଜାନୁୟାରୀରେ ଆରମ୍ଭ ହୋଇଥିବା ଟ୍ରାଇବାଲ ଗ୍ଲୋବାଲ ଫେଷ୍ଟରେ ଆଦିବାସୀ ଯୁବତୀ ମାନଙ୍କ ମଧ୍ୟରେ ସୁନ୍ଦରୀ ପ୍ରତିଯୋଗିତାର ଆୟୋଜନ କରଯାଇଥିଲା । ଏଥିରେ ଭାଗ ନେଇଥିଲେ ଜିଲ୍ଲାର ବଣ୍ଡା ଯୁବତୀ ଆଦିବାରୀ । ଉତ୍ତମ ପ୍ରଦର୍ଶନ ଯୋଗୁଁ ସେ ଉପବିଜେତା ହୋଇଥିଲେ । ଏହି ପ୍ରତିଯୋଗିତାରେ ସାରା ଓଡିଶାରୁ ୪୦ ଜଣ ଆଦିବାସୀ ଯୁବତୀ ଭାଗ ନେଇଥିଲେ । ସେମାନଙ୍କର ମଧ୍ୟରୁ ବଣ୍ଡା ଘାଟିରୁ ବଣ୍ଡା ଯୁବତୀ ଆଦିବାରୀ ବଡନାୟକ ଗ୍ଲୋବାଲ ଟ୍ରାଇବଲ କୁଇନ୍ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ପ୍ରଥମ ରନର୍ସଅପ ଭାବେ ବିଜେତା ହୋଇଥିଲେ ।
ବଣ୍ଡା ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ, ମୂଳ ମୂଲ୍ୟବୋଧ, ରୀତିନୀତି ଏବଂ ସଂସ୍କୃତିକୁ ନେଇ ନିଜ ପୋଷାକ ଏବଂ ଅଳଙ୍କାର ସହିତ ନିଜକୁ ସଜାଇ ରଖି ଜିଲ୍ଲା ପାଇଁ ଗର୍ବ ଓ ଗୌରବର ଆଣିଛନ୍ତି ସେ । ତେବେ କଥାରେ ଅଛି ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ଥିଲେ ସବୁ ସମ୍ଭବ ହୋଇଥାଏ । କରିବା ପାଇଁ କେବଳ ନିଷ୍ଠା ଓ ଏକାଗ୍ରତା ଥିବା ଜରୁରୀ । ଏହି କଥାକୁ ଆଜି ପ୍ରାମଣ କରି ଦେଖାଇଛନ୍ତି ଆଦିବାରୀ ।